ବିଧାନସଭାରେ ଗାନ୍ଧୀ ଚର୍ଚ୍ଚା : ବିରୋଧୀ ଦଳ ନେତା କହିଲେ, ବନ୍ଦ ହେଉ ମଦର ମାତ୍ରାଧିକ ବ୍ୟବହାର

ଭାଷା ଆଇନ କଡାକଡି କରିବା ସହ ଗୋଚାଲାଣ ବନ୍ଦ କରିବାକୁ ଦେଲେ ପ୍ରସ୍ତାବ

105

କନକ ବ୍ୟୁରୋ : ବିଧାନସଭାରେ ଚାଲିଛି ଗାନ୍ଧୀ ଚର୍ଚ୍ଚା । ମହାତ୍ମା ଗାନ୍ଧୀ ଓଡ଼ିଶା ଆସିବା ଅବସରରେ ଇତିହାସରେ କ’ଣ ଘଟିଥିଲା ତାକୁ ଉପସ୍ଥାପନ କରିବା ଯେତିକି ଜରୁରୀ,ତାଙ୍କ ନୀତି ଓ ବିଚାରକୁ ଆମେ କେତେ ଦୂର ପାଳନ କରୁଛେ ତାର ତର୍ଜମା କରିବାର ଆବଶ୍ୟକତା ରହିଛି । ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିବୃତି ରଖି ଗାନ୍ଧୀଜିଙ୍କ ବାବଦରେ ଏହି ଭଳି ମତ ରଖିଛନ୍ତି । ବିବୃତିରେ ୩ଟି ପ୍ରସଙ୍ଗ ଉଠାଇଛନ୍ତି । ଯଥା

  • ପ୍ରଥମରେ ମଦର ମାତ୍ରାଧିକ ବ୍ୟବହାର ଉପରେ ରୋକ ଲଗାଯାଉ
  • ଭାଷା ଅଇନକୁ କଡାକଡି ଅନୁପାଳନ କରାଯାଉ
  • ଗୋ-ଚାଲାଣକୁ ରୋକାଗଲେ, ଏହା ହିଁ ହେବ ଗାନ୍ଧୀଙ୍କ ପ୍ରତି ପ୍ରକୃତ ସମ୍ମାନ

୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ପୂରଣ ହୋଇଛି ୧୦୦ ବର୍ଷ । ଏହି ଅବସରରେ ରାଜ୍ୟବାସୀ ବାପୁଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି । ପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ ଜାତିର ପିତା ଗାନ୍ଧୀ । ବିଧାନସଭା ପରିସରରେ ବାପୁ ପ୍ରତିମୂର୍ତି ଠାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ସଦସ୍ୟଙ୍କ ଠାରୁ ଆରମ୍ଭ କରି ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ବାପୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏହା ପରେ ଗୃହରେ ବାପୁଙ୍କୁ ନେଇ ସ୍ୱତନ୍ତ୍ର ଚର୍ଚ୍ଚା ହୋଇଛି ।