ଗୋଟିଏ ଗଛରେ ଫଳିଛି ୧୦୦ ପ୍ରକାର ଆମ୍ବ । ଚର୍ଚ୍ଚାରେ ବରଗଡ଼ ଜିଲ୍ଲା ଅତାବିରାର ଚାଷୀ ଭି.ଚନ୍ଦ୍ରା ରାଓ ।

385

କନକ ବ୍ୟୁରୋ: ଗୋଟିଏ ଗଛରେ ଫଳିଛି ୧୦୦ ପ୍ରକାର ଆମ୍ବ । ଏକଥା ଶୁଣିବାକୁ ସତ ଲାଗୁନଥିଲେ ବି ଗୋଟିଏ ଗଛରେ ପ୍ରାୟ ଶହେ ପ୍ରଜାତିର ଆମ୍ବ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଚାଷୀ ଭି.ଚନ୍ଦ୍ରା ରାଓ । ତାଙ୍କ ବାଡିରେ ଥିବା ପୁରୁଣା ଆମ୍ବ ଗଛରେ କଳମୀ କରି ବିଭିନ୍ନ ପ୍ରକାର ଆମ୍ବ ଫଳାଇ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି ।

ବରଗଡ଼ ଅତାବିରା ବ୍ଲକ ଅନ୍ତର୍ଗତ ପାଲିବୁଗବୁଗା ଗାଁର ଭି. ଚନ୍ଦ୍ରା ରାଓଙ୍କ ବାଡ଼ିରେ ଥିବା ଆମ୍ବ ବଗିଚାରେ ଫଳିଛି ଭଳି କି ଭଳି ଆମ୍ବ । ଆଉ ଗଛରେ ଫଳିଛି ୧୦୦ ପ୍ରଜାତିର ଆମ୍ବ । କିଛି ବର୍ଷ ପୂର୍ବରୁ କିଡନି ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ ଭି ଚନ୍ଦ୍ରା ରାଓ । ସ୍ୱାସ୍ଥ୍ୟରେ ଉନ୍ନତି ହେବା ପରେ କିଛି ନୂଆ କରିବା ପାଇଁ ସଂକଳ୍ପ ନେଇ ଆରମ୍ଭ କରିଥିଲେ ଗଛ କଲମୀ କରିବା ପ୍ରକ୍ରିୟା । ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଆମ୍ବ ଫଳାଇବା ପାଇଁ ପ୍ରଥମେ ନିଜେ ଉଦ୍ୟମ କରିଥିଲେ, ୩-୪ ଥର ଫେଲ ମାରିବା ପରେ ଉଦ୍ୟାନ ବିଭାଗର ଅଧିôକାରୀଙ୍କ ପରାମର୍ଶ ନେଇ ବାଡିରେ ଥିବା ଆମ୍ବ ଗଛରେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ମିଳିଥିଲା ସଫଳତା ।

ବିଭିନ୍ନ ଅଂଚଳରୁ ଦେଶୀ-ବିଦେଶୀ ଆମ୍ବ ଡାଳ ସଂଗ୍ରହ କରି କଲମୀ କରିଥିଲେ ଭି ଚନ୍ଦ୍ରା ରାଓ । ନିଲମ, ଦଶେରି, ଆମ୍ରପଲ୍ଲି , ବାଇଗଣ ପଲେଇ, ତୋଟା ପଲେଇ, ଅଲଫାନ୍ସୋ, ଲେଙ୍ଗଡା, ସୁନ୍ଦରୀ ସମେତ ପ୍ରାୟ ୧୦୦ ପ୍ରକାର ଆମ୍ବ ଗୋଟିଏ ଗଛରେ ଫଳେଇ ସେ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି ।

ସିଅନ ପଦ୍ଧତିରେ ଆମ୍ବ ଗଛକୁ କଲମୀ କରିଛନ୍ତି ଭି. ଚନ୍ଦ୍ରା ରାଓ । ବର୍ଷା ଯୋଗୁଁ ଗଛରୁ ଅନେକ ଆମ୍ବ ଝଡ଼ି ଯାଇଛି । ତେବେ ଏହା କେବଳ ଅର୍ନାମେଂଟାଲ ଉଦେଶ୍ୟରେ କରାଯାଇ ପାରିବ, ବ୍ୟବସାୟିକ ଉଦ୍ଦେଶ୍ୟରେ ଫଳପ୍ରଦ ହେବ ନାହିଁ ବୋଲି ମତ ଦେଇଛନ୍ତି ଉଦ୍ୟାନବିତ ।