ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ପ୍ରୟାସ । ଦୈନିକ ଖବରକାଗଜ ସମ୍ବାଦ ସହ ଫିକି ଓ ମିଶନ ଶକ୍ତିର ମିଳିତ ଉଦ୍ୟମ ।

101

କନକ ବ୍ୟୁରୋ : ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ସମ୍ବାଦ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓଡିଶା-୫୦ରେ ସମ୍ବର୍ଦ୍ଧିତ ହୋଇଛନ୍ତି ଶହେ ଜଣ ସଫଳ ଗ୍ରାମୀଣ ଉଦ୍ୟୋଗୀ । ପ୍ରତିକୂଳ ପରିସ୍ଥିତିରେ ହାର ନମାନି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏଭଳି କାହାଣୀ ଉପରେ ନଜର ପକାନ୍ତୁ ।

ମାଣ୍ଡିଆ ଦିଦି ସୁବାସ ମହନ୍ତ । ଘର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯଶୀପୁରରେ । ବାଡିରେ ମାତ୍ର ୨ ଶହ ଗ୍ରାମ ମାଣ୍ଡିଆ ବୁଣି ଚାଷ ଆରମ୍ଭ କରିଥିବା ସୁବାସ ଏବେ ୫ ଏକର ବିଲରେ କରୁଛନ୍ତି ମାଣ୍ଡିଆ ଚାଷ । ଅନ୍ୟ ଜିଲ୍ଲାକୁ ମାଣ୍ଡିଆ ରପ୍ତାନୀ କରୁଛନ୍ତି ଓ ଅନ୍ୟମାନଙ୍କୁ ଚାଷ କରିବା ପାଇଁ ଉତ୍ସାହିତ କରୁଛନ୍ତି । ଏଥିପାଇଁ ସେ ପାଲଟି ଯାଇଛନ୍ତି ମାଣ୍ଡିଆ ଦିଦି ।

ମଧୁସ୍ମିତାଙ୍କ ଚାଉଳ ରୁଟି । ସ୍ୱାମୀ ଚାଲିଗଲା ପରେ ଭାଙ୍ଗି ନପଡି ସ୍ୱୟଂ ସହାୟକ ଗୋଷ୍ଠି କରି ଆରମ୍ଭ କରିଥିଲେ ବାରିପଦାର ପ୍ରସିଦ୍ଧ ଚାଉଳ ରୁଟି । ଦିନେ ଏହି ଚାଉଳ ରୁଟିି ତିଆରି କରି ମାତ୍ର ୩ ଟଙ୍କାରେ ହୋଟେଲରେ ନେଇ ବିକ୍ରି କରୁଥିବା ମଧୁସ୍ମିତା ଏବେ ପ୍ରତି ରୁଟି ୬ ଟଙ୍କାରେ ବିକ୍ରି କରିବା ସହ ୩୦ଜଣଙ୍କୁ ନିଯୁକ୍ତି ଦେଇପାରିଛନ୍ତି ।

ସଂଙ୍ଖଜିନୀଙ୍କ ଜୈବିକ ସାର । ଗୋମୂତ୍ର, ଅରଖ ପତ୍ର, କରଞ୍ଜ ପତ୍ର, ନିମ ପତ୍ର ଏବଂ ଗୁଡରେ ଜୈବିକ ସାର ତିଆରି କରି ଦେଢ ଏକର ଜାଗାରେ ପରିବା ଚାଷ କରୁଛନ୍ତି ସମ୍ବଲପୁରର ସଂଙ୍ଖଜିନୀ ପ୍ରଧାନ । କେବଳ ଚାଷ କରୁନାହାନ୍ତି ସଫଲ, ମଦର ଡାଏରୀ ଏବଂ ରିଲାଏନ୍ସ ଭଳି ବ୍ୟବସାୟୀକ ପ୍ରତିଷ୍ଠାନକୁ ବିକ୍ରି ପାଇଁ ପରିବା ପଠାଉଛନ୍ତି ।

ଏହିଭଳି ଗ୍ରାମାଞ୍ଚଳର ଶହେ ଜଣ ସଫଳ ମହିଳା ଉଦ୍ୟୋଗୀଙ୍କୁ ଏମ୍ପୱାରିଂ ଗ୍ରେଟର ଫିପଟି କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଛି । ପ୍ରଥମ ୩୩ ଜଣ ସଫଳ ଉଦ୍ୟୋଗୀଙ୍କୁ ଶାରଦା ସୀମା ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତୀୟ ଶିଳ୍ପ ଓ ବଣିକ ମହାସଂଘ ‘ଫିକି’ ଏବଂ ମିଶନ ଶକ୍ତି ଓ ସମ୍ବାଦ ଗ୍ରୁପ୍ ସହଯୋଗରେ ଏମାନଙ୍କୁ ତାଲିମ ଦିଆଯାଇଥିଲା । ୧ ବର୍ଷ ଧରି ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୫ହଜାର ସଫଳ ମହିଳା ଉଦ୍ୟୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦିଆଯାଇଥିଲା ପ୍ରଶିକ୍ଷଣ ।

ତୃଣମୂଳ ସ୍ତରରୁ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ସଫଳ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନୀତ କରିଥିଲେ । ଏହି ଅବସରରେ ଓଡିଶା ଫିଫଟିର କଫି ଟେବୁଲ ବୁକ୍ ମଧ୍ୟ ଉନ୍ମୋଚିତ ହୋଇଛି ।