ପ୍ରଥମ ଥର ପାଇଁ ପ୍ରତିରକ୍ଷା ଶିଳ୍ପରେ ଭାରତ ଶତପ୍ରତିଶତ ଏଫଡିଆଇକୁ ଅନୁମୋଦନ କରିଛି : ସ୍ୱିଡେନ କମ୍ପାନୀ ‘ସାବ’ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପ୍ରତିଶତ ଏଫଡିଆଇ ପାଇବାକୁ ମନୋନୀତ ହୋଇଛି
ପ୍ରଥମ ଥର ପାଇଁ ପ୍ରତିରକ୍ଷା ଶିଳ୍ପରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ)କୁ ଭାରତ ଅନୁମତି ଦେଇଛି । ଏକ ପ୍ରତିରକ୍ଷା ପ୍ରକଳ୍ପରେ ସ୍ୱିଡେନ କମ୍ପାନୀ ‘ସାବ’ ଭାରତର ପ୍ରଥମ ୧୦୦ ପ୍ରତିଶତ ଏଫଡିଆଇ ହାସଲ କରିଛି । ହରିୟାଣାରେ ଏକ କାରଖାନା ପ୍ରତିଷ୍ଠା ପାଇଁ ଏହି ଅନୁମୋଦନ ଦିଆଯାଇଛି । ଏହି କାରଖାନାରେ ଆଣ୍ଟି ଆର୍ମର , ଆଣ୍ଟି ଟ୍ୟାଙ୍କ, ବଙ୍କର୍ ଏବଂ କାର୍ଲ-ଗୁସ୍ତାଫ୍ M4 ରକେଟ୍ ଲଞ୍ଚର୍ ପ୍ରସ୍ତୁତ କରାଯିବ । ଭାରତୀୟ ସେନା ପୂର୍ବରୁ କାନ୍ଧରୁ ନିକ୍ଷେପ କରାଯାଉଥିବା ରକେଟ୍ ବ୍ୟବହାର କରୁଛି। ୟୁକ୍ରେନ-ରୁଷ ଯୁଦ୍ଧରେ ଏହି ରକେଟ୍ ଲଞ୍ଚର୍ ଗୁଡିକ ବହୁଳ ଭାବରେ ବ୍ୟବହୃତ ହେଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରତିରକ୍ଷା ଶିଳ୍ପରେ ଭାରତ ଏପର୍ଯ୍ୟନ୍ତ ୭୪ ପ୍ରତିଶତ ଏଫଡିଆଇକୁ ଅନୁମତି ଦେଇଛି। ଯଦିଓ ୨୦୧୫ ରେ FDI ଅନୁମୋଦନ ପାଇଁ ନିୟମକୁ ଟିକେ କୋହଳ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ବିଦେଶୀ କମ୍ପାନୀ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପ୍ରତିଶତ FDI ଅନୁମତି ପାଇ ନଥିଲେ । ସ୍ୱିଡେନ କମ୍ପାନୀ ସାବ ପ୍ରଥମ ଥର ପାଇଁ ଏକ ପ୍ରତିରକ୍ଷା ପ୍ରକଳ୍ପରେ ଭାରତର ପ୍ରଥମ ୧୦୦ ପ୍ରତିଶତ ଏଫଡିଆଇ ହାସଲ କରିଛି । ସୂତ୍ରରୁ ପ୍ରକାଶ ଯେ ଗତ ମାସରେ ୫୦୦ କୋଟିରୁ କମ୍ ମୂଲ୍ୟର ଏହି ଏଫଡିଆଇ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ସ୍ୱିଡେନର ‘ସାବ’କୁ ଏକ ନୂତନ କାରଖାନା ସ୍ଥାପନ ପାଇଁ ଅନୁମତି ଦିଆଯାଇଛି । ଯେଉଁଠାରୁ କାର୍ଲ-ଗୁସ୍ତାଫ ରକେଟ୍ ଉତ୍ପାଦନ ହେବ ।
ହରିୟାଣାରେ ଏକ କାରଖାନା ସ୍ଥାପନ ପାଇଁ ଭାରତରେ ଏକ ନୂତନ କମ୍ପାନୀ ‘ସାବ FFB ଇଣ୍ଡିଆ’ ପଞ୍ଜିକୃତ ହୋଇଛି । ଏହି କମ୍ପାନୀ ପରବର୍ତ୍ତୀ ପିଢିର କାର୍ଲ-ଗୁସ୍ତାଫ୍ M4 ଲଞ୍ଚର୍ ସିଷ୍ଟମର ନିର୍ମାଣ କରିବ । କାରଖାନାରେ କାର୍ଲ-ଗୁସ୍ତାଫ ସିଷ୍ଟମର ସାଇଟିଙ୍ଗ ଟେକ୍ନୋଲୋଜି ଏବଂ କାର୍ବନ ଫାଇବର ୱାଇଣ୍ଡିଙ୍ଗ ସହିତ ଉନ୍ନତ ଜ୍ଞାନକୌଶଳ ଅନ୍ତର୍ଭୂକ୍ତ ହେବ । କାନ୍ଧରୁ ନିକ୍ଷେପ କରାଯାଉଥିବା ରକେଟ୍ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ବ୍ୟବହୃତ ହୋଇଆସୁଛି । ସ୍ଥାନୀୟ ସ୍ତରରେ ଉତ୍ପାଦନ ଆରମ୍ଭ ହେବା ପରେ ଏହା ରପ୍ତାନି ମଧ୍ୟ ହୋଇପାରିବ । ଏହା ବ୍ୟତୀତ କାରଖାନାରେ ଆଣ୍ଟି ଟ୍ୟାଙ୍କ, ବଙ୍କର୍ ଏବଂ ବିଭିନ୍ନ ପ୍ରକାରର ରକେଟ୍ ଲଞ୍ଚର୍ ଉତ୍ପାଦନ କରାଯିବ ।
ସାବ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମ୍ୟାଟ୍ସ ପାମବର୍ଗ କହିଛନ୍ତି, “ଭାରତରେ ଏକ ନୂତନ କାରଖାନା ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ଠାରୁ ୧୦୦% FDI ଅନୁମୋଦନ ପାଇଥିବା ପ୍ରଥମ ବିଶ୍ୱ ପ୍ରତିରକ୍ଷା କମ୍ପାନୀ ହୋଇଥିବାରୁ ଆମେ ଗର୍ବିତ । ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ଭାରତୀୟ ଅଂଶୀଦାରମାନଙ୍କ ସହିତ ଭାରତରେ କାର୍ଲ-ଗୁସ୍ତାଫ୍ M4 ରକେଟ୍ ଲଞ୍ଚର ଉତ୍ପାଦନ ସହିତ ଆମେ ଭାରତୀୟ ସଶସ୍ତ୍ର ବାହିନୀକୁ ସମର୍ଥନ କରିବାକୁ ଆଗ୍ରହୀ । ସ୍ବିଡେନ ବାହାରେ ଏହା ଆମର ପ୍ରଥମ କାରଖାନା ହେବ ଯେଉଁଥିରେ ଆସନ୍ତା ବର୍ଷ ରକେଟ୍ ଲଞ୍ଚର ଉତ୍ପାଦନ ଆରମ୍ଭ ହେବ । କାନ୍ଧରୁ ନିକ୍ଷେପ କରାଯାଉଥିବା ଅସ୍ତ୍ର ପ୍ରଣାଳୀ ଆମେରିକୀୟ, ୟୁରୋପୀୟ ଏବଂ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ବ୍ୟବହୃତ ହୁଏ ଏବଂ ଶକ୍ତିଶାଳୀ ଶତ୍ରୁ ସ୍ଥିତିକୁ ନଷ୍ଟ କରିବାରେ ବ୍ୟବହୃତ ହୁଏ । “