ଟିକାକରଣ ପାଇଁ ଏସଓପି ଜାରି: ଗୋଟିଏ କେନ୍ଦ୍ରରେ ଦିନକରେ ଅତିବେଶୀରେ ଶହେ ଜଣଙ୍କୁ ଦିଆଯିବ ଟିକା; ପ୍ରତି ଟିକାକରଣ କେନ୍ଦ୍ର ପାଇଁ ରହିବେ ୫ଜଣିଆ ଟିମ୍

୬ ରୁ ୮ମାସ ମଧ୍ୟରେ ୬୦ କୋଟି ଡୋଜକୁ ୩୦ କୋଟି ଲୋକଙ୍କ ପାଖରେ ପହଁଚାଇବା ଲକ୍ଷ୍ୟ

303

କନକ ବ୍ୟୁରୋ: କରୋନା ଟିକା କେବେ ଆସିବ ଏହାକୁ ସମସ୍ତେ ଚାହିଁ ରହିଛନ୍ତି । ତେବେ କରୋନା ଟିକା ଆସିବା ପୂର୍ବରୁ ଭାରତ ସରକାର ଟିକାକରଣ କେମିତି ହେବ, ସେଥିପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଟିକା ଆସିବାର ୬ ରୁ ୮ ମାସ ମଧ୍ୟରେ କିଭଳି ୬୦ କୋଟି ଡୋଜକୁ ୩୦ କୋଟି ଲୋକଙ୍କ ପାଖରେ ପହଁଚା ଯିବ ସେଥିପାଇଁ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଟିକାକରଣକୁ ସହଜ ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକରେ ୧୦୦ ଜଣଙ୍କୁ କରୋନା ଟିକା ଦେବାକୁ ନିଷ୍ପତି ନେଇଛନ୍ତି ସରକାର । ଏସଓପି ଅନୁଯାୟୀ ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ୫ଜଣଙ୍କୁ ନିୟୋଜିତ କରାଯିବ । ୫ଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଧିକାରୀଙ୍କୁ ଅନ୍ୟ ୪ଜଣ ସଦସ୍ୟ ସାହାଯ୍ୟ କରିବେ ।

ମୁଖ୍ୟ ବ୍ୟକ୍ତି ଜଣେ ଡାକ୍ତର, ନର୍ସ , ଫାର୍ମାସିଷ୍ଟ କିମ୍ବା ଇଞ୍ଜେକ୍ସନ ଦେବା ପାଇଁ ଆଇନଗତ ଭାବେ ଯୋଗ୍ୟ ବ୍ୟକ୍ତି ହୋଇଥିବା ଆବଶ୍ୟକ । ଦ୍ୱିତୀୟ ଅଧିକାରୀ ସୁରକ୍ଷା ପାଇଁ ରହିବେ, ଯିଏ ଉପଭୋକ୍ତା ପଞ୍ଜିକରଣ ଯାଂଚ କରିବେ ଏବଂ ଟିକାକରଣ କେନ୍ଦ୍ରର ପ୍ରବେଶ ପଥ ଜଗିବେ । ତୃତୀୟ ଅଧିକାରୀ ପ୍ରମାଣପତ୍ର ଯାଂଚ କରିବା ସହ ଚତୁର୍ଥ ଓ ପଂଚମ ଅଧିକାରୀ ଭିଡ ପରିଚାଳନା ଏବଂ ଯୋଗଯୋଗ ପାଇଁ ରହିବେ । ଏଥିସହ ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କରିବା, ଟିକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ୩ଟି କକ୍ଷ ରହିବ ।

ଗୋଟିଏ ଦିନରେ ଯେକୌଣସି ବ୍ୟକ୍ତିଙ୍କୁ ଟିକା ଦିଆଯିବ, ତାକୁ ପରବର୍ତି ଅଧଘଂଟା ପାଇଁ ପର୍ଯ୍ୟବେକ୍ଷଣ କକ୍ଷରେ ତତ୍ୱାବଧାନରେ ରଖାଯିବ । ଯଦି କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ତେବେ ତୁରନ୍ତ ତାଙ୍କର ଚିକିତ୍ସା କରାଯିବ । କରୋନା ଟିକା ନେବା ପାଇଁ ଟିକାକରଣ କୋଠରୀ ପ୍ରସ୍ତୁତ କରାଯିବ । ଏହି କୋଠରୀଗୁଡିକରେ, ଜଣେ ବ୍ୟକ୍ତିଙ୍କୁ କେବଳ ଥରେ ଯିବାକୁ ଅନୁମତି ଦିଆଯିବ । ଟିକାକରଣ ଅଭିଯାନ ସମୟରେ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି ।