ନଡିଆ ଚାଷୀ, କୁକୁଡାଚାଷୀ ଓ ଉଠା ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ ହେବ ୧୦୦ କୋଟି ।

232

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ । ଉଠା ଦୋକାନୀ, ନଡିଆ ବ୍ୟବସାୟୀ, କୁକୁଡା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ଟି ସହରାଞ୍ଚଳର ୩୦ ହଜାର ଉଠା ଦୋକାନୀଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ଜୀବନଜୀବିକା ପାଇଁ ୧୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

ସେହିପରି କ୍ଷତିଗ୍ରସ୍ତ ନଡିଆ ଗଛ ପିଛା ୫୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବାଧିକ ୨୫ଟି ନଡିଆ ଗଛ ପାଇଁ ମିଳିବ ସହାୟତା । ସେହିପରି ବାତ୍ୟାରେ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ମଧ୍ୟ ସହାୟତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୫ ଶହ ପର୍ଯ୍ୟନ୍ତ କୁକୁଡାଥିବା ଫାର୍ମକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ । ୨ ହଜାର କ୍ଷୁଦ୍ର କୁକୁଡା ଫାର୍ମ ଏହାଦ୍ୱାରା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ମୋଟ୍ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯିବ ।