କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ହାତରେ ସମୟ କମ୍ ଥିବାରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହାରି ଭିତରେ ବୁଧବାର ଦ୍ୱିତୀୟ ସମନ୍ୱୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଶୃଙ୍ଖଳିତ ନୀତିକାନ୍ତି ଓ ଆଇନଶୃଙ୍ଖଳା କିପରି ବଜାୟ ରହିବ, ସେ ନେଇ ଆଲୋଚନା ହୋଇଛି ।

Advertisment
  • ଶୃଙ୍ଖଳିତ ହେବ ରଥଯାତ୍ରା
  • ସମନ୍ୱୟ ବୈଠକରେ ନିଷ୍ପତ୍ତି

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଦୁଇ ସପ୍ତାହରୁ କମ୍ ଦିନ ରହିଲା । ଶୃଙ୍ଖଳିତ ନୀତି, ଆଇନଶୃଙ୍ଖଳା କିପରି କାଏମ ରହିବ, ସେ ନେଇ ଦ୍ୱିତୀୟ ସମନ୍ୱୟ ବୈଠକରେ ଅନେକ ବଡ଼ ନିଷ୍ପତି ନିଆଯାଇଛି । ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ବଡ଼ କଥା ହେଉଛି ଏଥର ରଥଟଣା ଅପରାହ୍ଣ ୫ଟାରେ ହେବ । ତେଣୁ ରଥଟଣା ନୀତି ବିଳମ୍ବିତ ହେବା ଆଶଙ୍କା ଥିବାରୁ ଉଭୟ ଜୁଲାଇ ୭ ଓ ୮ ତାରିଖରେ ପ୍ରଶାସନିକ ବ୍ୟବସ୍ଥା ବଳବତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବୈଠକରେ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ, ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ନେଇ ହୋଇଛି ଆଲୋଚନା । ସେହିପରି ରଥଯାତ୍ରା ପାଇଁ ୧୫୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହ ବସ୍ ଚଳାଚଳ ନେଇ ମଧ୍ୟ ବ୍ୟବସ୍ଥା କରାଯିବ ।

ରଥଯାତ୍ରା ବେଳେ ଟ୍ରାଫିକ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଯେହେତୁ ଏଥର ଦୁଇଦିନ ଧରି ରଥଟଣା ହେବ, ତେଣୁ ଟ୍ରାଫିକ ପରିଚାନଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକୀୟ ପୁଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ଓ ୧୮ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହାସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସହ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ମଧ୍ୟ କରାଯାଇଛି । ଅପରାଧୀଙ୍କୁ ଚିହ୍ନଟ ପାଇଁ ଏଆଇ ଟେକ୍ନୋଲୋଜିର ସହାୟତା ନିଆଯିବ । ସେହିପରି ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସହ ସହ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।