ଖୁବଶୀଘ୍ର ୫ ଜିଲ୍ଲାରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ : ଗୃହରେ ଉତ୍ତର ରଖିଲେ ଟୁକୁନି ସାହୁ

221

କନକ ବ୍ୟୁରୋ : ୩ ଦିନର ଅଚଳାବସ୍ଥା ପରେ ବିଧାନସଭାରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ଆଜି ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି । ବିଧାନସଭାର ପ୍ରଶ୍ନକାଳରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇ କହିଛନ୍ତି, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ଼, ଯାଜପୁର ଓ ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁଠାରେ ହଷ୍ଟେଲ ଆବଶ୍ୟକ ରହିଛି ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି । ଆବଶ୍ୟକସ୍ଥଳେ ହଷ୍ଟେଲ ନିର୍ମାଣ କରାଯିବ। ୧୧ ଟି ଶିଳ୍ପାଞ୍ଚଳରେ କେନ୍ଦ୍ରୀୟ ଯୋଜନାରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି । କଟକରେ ବକ୍ସିବଜାର, ବଜ୍ରକବାଟି ରୋଡ ସହ ୪ ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ହଷ୍ଟେଲ ନିର୍ମାଣ କରାଯିବ ।

ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ଗଠନ ନେଇ ରିପୋର୍ଟ ମଗାଯାଇଛି । ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନେବ । ୩୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଜୀବୀ ମହିଳାମାନେ ଏହି ହଷ୍ଟେଲରେ ରହିବେ। ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ। ଏହି କମିଟି ହଷ୍ଟେଲର ପରିଚାଳନା କରିବେ ।