କନକ ବ୍ୟୁରୋ: ପୁଣି ନବରଙ୍ଗପୁର ଜିଲ୍ଲାରେ କଙ୍ଗାରୁକୋର୍ଟ । ମକା ଚୋରି ସନ୍ଦେହରେ ମାଡ଼ ଖାଇଲେ ୧୦ ଯୁବକ । ଉମରକୋଟ ସହର ନିକଟସ୍ଥ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ନିକଟରେ ୧୦ କୋଟି ଟଙ୍କା ବ୍ୟୟରେ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପନ୍ନ ହେଇଛି । ତେବେ ଠିକାଦାର ରଙ୍ଗ ମାରିବା ପାଇଁ କଳାହାଣ୍ଡିର ପ୍ରାୟ ୧୦ ଜଣ ଯୁବକଙ୍କୁ ନିୟୋଜିତ କରିଥିଲେ । ତେବେ ଷ୍ଟାଡିୟମ୍ ନିକଟରେ ଥିବା ମକା କ୍ଷେତରୁ ସେହି ଯୁବକମାନେ ମକା ଚୋରାଇ ଖାଉଥିବା ସନ୍ଦେହ କରିଥିଲେ ଗ୍ରାମବାସୀ । ମକା ଚୋରଙ୍କୁ ଧରିବା ପାଇଁ କାଲିରାତି ପର୍ଯ୍ୟନ୍ତ ଗ୍ରାମବାସୀ ମକାବାଡରେ ଲୁଚି ରହିଥିଲେ । ହେଲେ କିଛି ସମୟ ପରେ ଯୁବକମାନେ ମକା ପୋଡିବା ଜାଣି ଗ୍ରାମବାସୀ ସେମାନଙ୍କ ପାଖରେ ପହଂଚିଥିଲେ । ମକା ଧରାଇ ଫୋଟୋ ଉଠାଇଥିଲେ । ମକା ଚୋରି କରିଛ ବୋଲି ଅଭିଯୋଗ କରିଥିଲେ । ଯୁବକମାନେ ବଜାରରୁ ମକା କିଣି କି ଆଣିଥିବା କହିଥିଲେ ବି ଶୁଣି ନଥିଲେ ଉତ୍ୟକ୍ତ ଗ୍ରାମବାସୀ । ଚପଲ, ବାଡ଼ି ଓ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । କେତେ କାକୁତି ମିନତି ହେଲେ ମଧ୍ୟ ଲୋକେ ଶୁଣି ନଥିଲେ । ତେବେ ଗ୍ରାମବାସୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରଯାଇଛି । ଯଦି ଏହି ଯୁବକମାନେ ଚୋରୀ କରିଥିଲେ, ତେବେ ଲୋକେ ଥାନାରେ ଯାଇ ଲିଖିତ ଅଭିଯୋଗ କରିଥାନ୍ତେ । ହେଲେ ଥାନାରେ ଅଭିଯୋଗ ନକରି ଆଇନ୍କୁ ହାତକୁ ନେଇଛନ୍ତି ।