କନକ ବ୍ୟୁରୋ: ତୋ ଭାଇ ଅଛି, ତୋର କିଛି ହେବନି... ତୁ ଭଲ ହୋଇଯିବୁ, ତୁ ପୁଣି ଥରେ ହସିବୁ, ଆମେ ଦିହେଁ ପୁଣି ଖେଳିବା ବୁଲିବା ମସ୍ତି କରିବା । ମୁଁ ତୋ ପାଖେ ପାଖେ ଅଛି ଲୋ, କ୍ୟାନ୍ସର ତୋର କିଛି କରିପାରିବନି । ମୁଁ ପରିଶ୍ରମ କରିବି ତତେ ପୁନଃର୍ଜନ୍ମ ଦେବି । ତୋ ପାଇଁ ମୁଁ କିଛି ବି କରିପାରିବି, କିନ୍ତୁ ତତେ ବଞ୍ଚେଇଦେବି... ଭଉଣୀକୁ ଭଲ କରିବାକୁ ଜିଦ୍ ଧରି ରାସ୍ତା କଡକୁ ଓହ୍ଲାଇ ଯାଇଛି କୁନି ଭାଇ । ଘରେ କର୍କଟ ସହ ଲଢେଇ କରୁଛି ବଡ ଭଉଣୀ, ବାହାରେ କର୍କଟକୁ ଭଗେଇବାକୁ କସରତ କରୁଛି ସାନ ଭାଇ । ନିଜ ଭଉଣୀର କ୍ୟାନସର ଚିକିତ୍ସା କରିବାକୁ ରାସ୍ତାକଡେ ଚଢେଇ ଦାନା ବିକୁଛି କୁନି ଭାଇ ।
ସକାଳ ହେବା କ୍ଷଣି ହାଇଦ୍ରାବାଦର ରାସ୍ତା କଡରେ ଖୋଲେ ଚଢେଇ ଦାନାର ଛୋଟ ଦୋକାନ । ବେଞ୍ଚ ପକାଇ ଚଢେଇ ଦାନା ବିକେ ୧୦ ବର୍ଷର ବାଳକ ସୟିଦ ଅଜିଜ । ନିଜ କଅଁଳ ହାତରେ ପଲିଥିନରେ ଦାନା ଭର୍ତ୍ତି କରି ବେଞ୍ଚ ଉପରେ ରଖେ ଆଉ ଗ୍ରାହକଙ୍କ ଆସିବା ବାଟକୁ ଅପେକ୍ଷା କରେ । କାରଣ ଗ୍ରାହକ ଆସିଲେ, ଚଢେଇ ଦାନା ବିକ୍ରି ହେଲେ ତା ଭଉଣୀର କ୍ୟାନସର ଚିକିତ୍ସା ହେବ । ଭଉଣୀ କର୍କଟରୁ ଭଲ ହେବାକୁ ଔଷଧ କିଣାହେବ । ସେଥିପାଇଁ ମାଆ ସହ ନିଇତି ସଙ୍ଘର୍ଷ କରେ କୁନି ପୁଅ ଅଜିଜ ।
୧୨ ବର୍ଷର ଭଉଣୀ ସକିନା ବେଗମ ପାଇଁ ଭାରି ବ୍ୟସ୍ତ କୁନି ଭାଇ ଅଜିଜ । ଭଉଣୀକୁ ଭଲ କରିବା ପାଇଁ ଚଢେଇ ଦାନା ବିକୁଛି ସତ ହେଲେ ଏହି ସଙ୍ଘର୍ଷ ଭିତରେ କିନ୍ତୁ ନିଜ ପାଠ ପଢାରେ କେବେ ଅବହେଳା କରେନି ଅଜିଜ । ସକାଳ ୬ଟାରୁ ୮ଟା ଯାଏଁ ପକ୍ଷୀଙ୍କ ପାଇଁ ମଞ୍ଜି ବିକ୍ରି କରେ ଆଉ ୮ଟା ପରଠାରୁ ସନ୍ଧ୍ୟା ୫ଟା ଯାଏଁ ସ୍ଥାନୀୟ ମଦ୍ରାସାରେ ପାଠ ପଢେ ଅଜିଜ ।
୨ ବର୍ଷ ତଳେ କୁନି ଝିଅ ସକିନା ବ୍ରେନ କ୍ୟାନସରରେ ପୀଡିତ ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ପରୀକ୍ଷା ନୀରିକ୍ଷାରେ ସାଇତା ସମ୍ପତି ସରିବା ପରେ ଏବେ ଅଧିକ ଚିକିତ୍ସା ପାଇଁ ସାହାଯ୍ୟ ଆଶାରେ ଅଛି ପରିବାର ।
ଘରର ଆର୍ଥିକ ପରିସ୍ଥିତି ଭଲ ନଥିବା ବେଳେ ବାପା ମାଆ ଝିଅକୁ ଭଲ କରିବାକୁ ଟଙ୍କା ଯୋଗାଡରେ ଲାଗିପଡିଛନ୍ତି । ଆଉ ଏତିକି ବେଳେ ନିଜ ଭଉଣୀକୁ କ୍ୟାନସରୁ ସୁସ୍ଥ କରିବାକୁ ଭାଇ ଆପଣାଇଛି ଏଭଳି ପନ୍ଥା । ସତରେ କ୍ୟାନସର କଣ ଜାଣିନି ଏ କୁନି ପୁଅ କିନ୍ତୁ ଏତିକି ଜାଣିଛି ଏ ରୋଗ ତା ଭଉଣୀକୁ ଛଡେଇ ନେବ । ତେଣୁ ତା ଗେହ୍ଲି ଭଉଣୀକୁ ବଞ୍ଚାଇବାକୁ ଅଣ୍ଟା ଭିଡିଛି ସାନ ଭାଇ । କ୍ୟାନସରକୁ ନେଇ ହାଇଦ୍ରାବାଦରୁ ଆସିଥିବା ଭାଇ-ଭଉଣୀଙ୍କ ଏ କାହାଣୀ ସମସ୍ତଙ୍କୁ କନ୍ଦାଇଦେବା ସହ ହୃଦୟ କିଣିନେଇଛି ।
Follow Us