ନାଟକ କରୁଛି ପାକିସ୍ତାନ । ସାରା ବିଶ୍ୱ ଆଖିରେ ଧୂଳି ଦେଇ ଲୋକଦେଖାଣିଆ ଭାବେ ହାଫିଜ ସୟିଦକୁ ସଜ୍ଜା

133

କନକ ବ୍ୟୁରୋ : ହାଫିଜ ସୟିଦକୁ ୧୦ବର୍ଷ ଜେଲ । ପାକିସ୍ତାନର ଲାହୋରରେ ଥିବା ଆତଙ୍କବାଦ ନିରୋଧୀ କୋର୍ଟ ଶୁଣାଇଛନ୍ତି ଏହି ସଜା । ପାକ୍ କୋର୍ଟଙ୍କ ଏପରି ରାୟ ପରେ ପୁଣି ଚର୍ଚାରେ ଆତଙ୍କବାଦର ଆକ୍କା, ହଫିଜ ସୟିଦ୍ । ଆତଙ୍କବଦୀ କାର୍ଯ୍ୟକଳାପ ପାଇଁ ଆର୍ଥିକ ସହଯୋଗ ଦେବାର ୨ ରୁ ଅଧିକ ମାମଲାରେ ହାଫିଜ ସୟିଦକୁ ହୋଇଛି ଏପରି ସଜା । କୁହାଯାଉଛି ଫାଇନାନସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ବା ଏଫଏଟିଏଫ୍ ଆତଙ୍କୀ ଗଡ ପାକିସ୍ତାନ ଉପରେ ଏପରି ଚାବୁକ୍ ଲଗାଇ ଦେଇଛି ଯାହାର କଷ୍ଟ ଏବେ ପାକିସ୍ତାନ ନା ସହି ପାରୁଛି, ନା କାହାକୁ କହି ପାରୁଛି । ଏବଂ ଏଥିପାଇଁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଦେଖେଇ ହେବା ପାଇଁ ବିଶ୍ୱ ଆଗରେ ଏପରି ଏକ ପଦକ୍ଷେପ ନେଇଛି ପାକିସ୍ତାନ ।

ଏବେ ଏହି ଦୃଶ୍ୟକୁ ଭଲ ଭାବେ ଦେଖନ୍ତୁ । ଜେଲରେ ଥିବା ହାଫିଜ ସୟିଦକୁ କିପରି ଭିଆଇପି ଟ୍ରିଟମେଂଟ ମିଳୁଛି । ସରକାରୀ ଏସୟୁଭିରେ ବୁଲୁଛି ମୁମ୍ବାଇ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡ । ଏହି ଦୁର୍ଦ୍ଦଶ ଆତଙ୍କବାଦୀ ଉପରେ କୌଣସି କଟକଣା ନାହିଁ । କେବଳ ନାଁକୁ ମାତ୍ର ସଜା ଶୁଣାଯାଇଛି । ୨୦୧୯ ଜୁଲାଇ ୧୭ ତାରିଖରେ ହାଫିଜ ସୟିଦକୁ ଗିରଫ କରାଯାଇଥିଲା । କିନ୍ତୁ ସେ ଆରାମରେ ରହୁଥିବା ଏହି ଦୃଶ୍ୟରୁ ସ୍ପଷ୍ଟ ଭାବେ ଜଣାପଡୁଛି ।

ପ୍ରକୃତରେ ଏଫଏଟିଏଫର ଗ୍ରେ ତାଲିକାରେ ଥିବା ପାକିସ୍ତାନ ବିଶ୍ୱ ଆଖିରେ ଧୁଳି ଦେବା ପାଇଁ ଏପରି ପଦକ୍ଷେପ ନେଇଛି । କାରଣ ଏଫଏଟିଏଫ୍ର ନିର୍ଦ୍ଦେଶନାମା ଅନୁସାରେ ଆଗାମୀ ୨୦୨୧ ଜୁନ୍ ଯାଏଁ ପାକିସ୍ତାନ ରହିବ ଗ୍ରେ ତାଲିକାରେ । ଅର୍ଥାତ୍ ଆଗାମୀ ବର୍ଷ ଫେବ୍ରୁଆରୀ ଓ ଜୁନ୍ ମାସରେ ଏଫଏଟିଏଫର ସମୀକ୍ଷା ବୈଠକ ବସିବ । ଏହି ବୈଠକରେ ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ଆତଙ୍କବାଦ ନିରୋଧ ନେଇ କଣ ପଦ କ୍ଷେପ ନେଇଛନ୍ତି , ତାହା ଏଫଏଟିଏଫ୍ ମାପଦଣ୍ଡ ଅନୁସାରେ ପର୍ଯ୍ୟାପ୍ତ ନା ନାହିଁ ସେହି ଅନୁସାରେ ରହିବ ଆଗାମୀ ପଦକ୍ଷେପ ।

ଧୀରେ ଧୀରେ ପାକିସ୍ତାନ ରେ ଆତଙ୍କବାଦ ଏହାର ଚେର ବିସ୍ତାର କରିନେଇଥିଲା । ଆଉ ଏହାକୁ ଦେଖି ପ୍ରଥମ ଥର ପାଇଁ ୨୦୧୨ରୁ ୨୦୧୫ ମଧ୍ୟରେ ଏଫଏଟିଏଫ୍ ପାକିସ୍ତାନ ଉପରେ ପ୍ରଥମେ ଲଗାଇଥିଲେ ଆର୍ଥିକ କଟକଣା । ବଢୁଥିବା ଆତଙ୍କବାଦ କାର୍ଯ୍ୟ ପ୍ରତି ସମର୍ଥନ କାରଣରୁ ପାକିସ୍ତାନ ଚାଲି ଆସିଥିଲା ଏଫଏଟିଏଫ୍ ର ଗ୍ରେ ତାଲିକାକୁ । ୨୦୧୮ରେ ବି ଘଟିଲା ସମାନ ଘଟଣା । ପୁଣି ପାକିସ୍ତାନ ଚାଲି ଆସିଲା ଏଫଏଟିଏଫର ଗ୍ରେ ତାଲିକାକୁ । ଏଥର କାଳ ହୋଇଥିଲା ଆତଙ୍କବାଦ ପାଇଁ ଆର୍ଥିକ ସହ ଯୋଗ ଅଭିଯୋଗ ।