ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଆଗରେ ଅଜଣା ଯୁବକଙ୍କ ହଙ୍ଗାମା: ଧସେଇ ପଶିବାକୁ ଉଦ୍ୟମ ବେଳେ ୧୦ରୁ ୧୫ ଯୁବକଙ୍କୁ ଉଠାଇ ନେଲା ପୋଲିସ

ସେପଟେ କଂଗ୍ରେସ ଲୋୟର ପିଏମଜିରେ ଯୁବ କଂଗ୍ରେସର ବିକ୍ଷୋଭ: ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବାହାରିଲା ବିଜେପିର ପ୍ରତିବାଦ ରାଲି

89

କନକ ବ୍ୟୁରୋ: ବିଧାନସଭା ଆଗରେ ହଠାତ୍ ସୃଷ୍ଟି ହେଲା ଉତେଜନା । ୧୦ରୁ ୧୫ଜଣ ଯୁବକ ପରୀ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା କରି ବିଧାନସଭା ପରିସରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ । ପରୀର ପରିବାରକୁ ନ୍ୟାୟ ଦାବିରେ ବିଧାନସଭାର ୧୦ ନମ୍ବର ଗେଟ୍ ଦେଇ ପଶିବାକୁ ଉଦ୍ୟମ କଲାବେଳେ ସୁରକ୍ଷା କର୍ମି ମାନେ ସେମାନଙ୍କୁ ଜୋରଜବରଦସ୍ତ ଅଟକାଇଥିଲେ । ଏମାନେ କେଉଁ ରାଜନୈତିକ ଦଳର ଜଣାପଡ଼ିନାହିଁ । କିନ୍ତୁ ପରୀ ମୃତ୍ୟୂ ପ୍ରସଂଗରେ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ଜୋରଦାର ହୋଇଛି ।

ଏପଟେ ପରୀ ମୃତ୍ୟୁ ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ରଣନୀତି ବନାଇଛନ୍ତି ବିରୋଧୀ । ବିଶେଷକରି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ସାମ୍ନାକୁ ଆସିବା ପରେ ଏହା ରାଜନୈତିକ ମୁଦା ପାଲଟିଯଇିଛି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ବିଧାନସଭାରେ ମଧ୍ୟ କଂଗ୍ରେସ ବିଧାୟକ ମାନେ ଗୃହ କାର୍ଯ୍ୟ ଆରମ୍ଭରୁ ହଙ୍ଗାମା କରିଥିଲେ । ପରୀ ମୃତ୍ୟୁମାମଲାର ଏସଆଇଟି ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଛି କଂଗ୍ରେସ । ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସଙ୍ଗରେ ବିବୃତି ରଖିଥିଲେ ମଧ୍ୟ ତାହା ବିରୋଧି କଂଗ୍ରେସ ସଦସ୍ୟଙ୍କୁ ସନ୍ତୁଷ୍ଠ କରିପାରିନାହିଁ ।

ସେପଟେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି । ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଏକ ପ୍ରତିବାଦ ରାଲି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବାହାରିଛି । ୫ବର୍ଷର ଶିଶୁ ପରୀ ମୃତ୍ୟୁ ପ୍ରସଙ୍ଗରେ ପୋଲିସର ଉଦାସୀନତା ଓ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ଶାସକ ଦଳକୁ ଘେରିଛି ବିଜେପି । ଦଳର ବିଭିନ୍ନ ନେତାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।