ଉତ୍ତରପ୍ରଦେଶରେ ମାସ୍କ ନିୟମ ଉଲଂଘନ କଲେ ପଡିବ ମହଙ୍ଗା । ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ତଣ୍ଡ ।

170

କନକ ବ୍ୟୁରୋ: କରୋନା ସ୍ଥିତି ଭୟଙ୍କର ହେବା ପରେ ଉତ୍ତରପ୍ରଦେଶରେ କଡାକଡି ହେଲା ମାସ୍କ କଟକଣା । ମାସ୍କ ବ୍ୟବହାର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ଟଙ୍କାର ତଣ୍ଡ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଉତ୍ତରପ୍ରଦେଶରେ ମାସ୍କ ପିନ୍ଧିବା ନିୟମ ଉଲଂଘନ କରି ପ୍ରଥମ ଥର ଧରାପଡିଲେ ଗଣିବେ ୧୦୦୦ ଟଙ୍କା । ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଗଣିବାକୁ ପଡିବ ୧୦ ହଜାର ଟଙ୍କା ।

ଗତ ୨୪ ଘଂଟାରେ ଉତ୍ତରପ୍ରଦେଶରେ  ୨୨ ହଜାର ୪୩୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କରୋନା କଟକଣାକୁ ଅଧିକ ଶକ୍ତ ଭାବରେ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ଯୋଗୀ ସରକାର । ଏହାସହିତ ଉତ୍ତର ପ୍ରଦେଶରେ ୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ୧୦ ଜିଲ୍ଲାରେ ମଧ୍ୟ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ରାତି ୭ଟାରୁ ସକାଳ ୮ଟା ଯାଏଁ ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀ, କାନପୁର ନଗର, ଗୌତମ ବୁଦ୍ଧ ନାଗର, ଗାଜିଆବାଦ, ମୀରଟ, ଗୋରଖପୁର ପରି ଜିଲ୍ଲାରେ ଏହି କଟକଣା ଲାଗୁ ହୋଇଛି । ବର୍ତମାନ ଉତରପ୍ରଦେଶରେ ଲଖନୌ, ବାରଣାସୀ ଓ ପ୍ରୟାଗରାଜରେ କରୋନା ସ୍ଥିତି ସବୁଠାରୁ ସାଂଘାତିକ ରହିଛି ।

ଗତକାଲି କରୋନା ସ୍ଥିତିକୁ ଦେଖି ଉତ୍ତରପ୍ରଦେଶ ସରକାର ସମସ୍ତ ସ୍କୁଲକୁ ମେ ୧୫ ତାରିଖ ଯାଏଁ ବନ୍ଦ ଘୋଷଣା କରିଛନ୍ତି । ସେହିପରି ବାରଣାସୀକୁ ତୀର୍ଥ ପାଇଁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଆସିବାକୁ ବାରଣ କରାଯାଇଛି । ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆରଟିପିସିଆର ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଏହି ରିପୋର୍ଟ ଗସ୍ତର ୭୨ ଘଂଟା ଆଗରୁ ହୋଇଥିବା ଆବଶ୍ୟକ । ଏହା ସହିତ ଉତ୍ତରପ୍ରଦେଶରେ ରବିବାର ଲକଡାଉନ୍ ଘୋଷଣା କରିଛନ୍ତି ଯୋଗୀ ସରକାର ।