ନାସା ଯିବେ ଓଡିଶାର ୧୦ଜଣ ଛାତ୍ର : ହ୍ୟୁମାନ୍ ରୋଭର ପ୍ରସ୍ତୁତ କରିବେ ସ୍କୁଲ ଛାତ୍ର; ୨୦୨୧ ଏପ୍ରିଲରେ ନାସାରେ ହେବ ହ୍ୟୁମାନ ରୋଭର ଚ୍ୟାଲେଞ୍ଜ 

144

କନକ ବ୍ୟୁରୋ : ନାସା ହ୍ୟୁମାନ ରୋଭର ଚ୍ୟାଲେଂଜରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଏକ ଟିମ୍ । ଭାରତରେ ପ୍ରଥମ ଥର ପାଇଁ ସ୍କୁଲ୍ ପିଲାଙ୍କୁ ନେଇ ଏକ ଟିମ୍ ଏଥିପାଇଁ ବଛା ଯାଇଛି । ଆବେଦନ କରିଥିବା ୮ଶହ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓଡ଼ିଶାର ବଛାବଛା ୧୦ଜଣ ପିଲାଙ୍କୁ ନେଇ ଏହି ଟିମ୍ ଗଠିତ ହୋଇଛି । ଆସନ୍ତା ବର୍ଷ ଏପ୍ରିଲ ମାସରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ଛାତ୍ରଛାତ୍ରୀମାନେ ଏଭଳି ଏକ ହ୍ୟୁମାନ ରୋଭର ପ୍ରସ୍ତୁତ କରିବେ ଯାହା ମଙ୍ଗଳ ପୃଷ୍ଠରେ ଚାଲି ପାରିବ । ୪ରୁ ୫ ମାସ ଭିତରେ ଏହି ରୋଭର ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଛାତ୍ରଛାତ୍ରୀ ।

ନବନ୍ୱେଷ ପ୍ରସାର ଫାଉଣ୍ଡେସନ ପକ୍ଷରୁ ଗଠିତ ଟିମରେ ସ୍କୁଲ ପିଲାଙ୍କ ସହ ଆଇଟିଆଇ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅନେକ ଟିମ୍ ସହ ଏହି ଟିମ୍ ପ୍ରତିଯୋଗିତା କରିବ । ଏଥିପାଇଁ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ଅଛନ୍ତି । ଏନେଇ ସଂସ୍ଥାର ମୁଖ୍ୟ ଅନିଲ ପ୍ରଧାନ କହିଛନ୍ତି ପ୍ରଥମ ଥର ପାଇଁ ଭାରତରେ ସ୍କୁଲ ଛାତ୍ରଙ୍କ ଏକ ଟିମକୁ ଏଥିପାଇଁ ବଛା ଯାଇଛି ।