ବିପଦ ଆଣିବେ ଅମାନିଆ ? ଲକଡାଉନ ମାନୁ ନାହାନ୍ତି ୧୦ ପ୍ରତିଶତ ଲୋକ । ୯୦ ପ୍ରତିଶତ ଲୋକ ସରକାରଙ୍କ ନିୟମ ନିର୍ଦ୍ଦେଶ ମାନୁଛନ୍ତି, ୧୦ % ବାହାରେ ବୁଲୁଛନ୍ତିି । ସୁବ୍ରତ କହିଲେ ୯୦%ଙ୍କ ପାଇଁ ଏମାନେ ବଢାଇ ପାରନ୍ତି ବିପଦ ?

1,436

କନକ ବ୍ୟୁରୋ: ବିପଦ ଆଣିପାରନ୍ତି ୧୦ ପ୍ରତିଶତ ଲୋକ । କରୋନା ମୁକାବିଲା ପାଇଁ ପୂରା ଦେଶ ସହ ସାରା ଓଡିଶାକୁ ଲକଡାଉନ କରାଯାଇଛି । ଆଉ ନିଜ ସହ ଅନ୍ୟର ସୁରକ୍ଷା ପାଇଁ ରାଜ୍ୟର ୯୦ ପ୍ରତିଶତ ଲୋକ ସଚେତନ ଅଛନ୍ତି । ତାଲାବନ୍ଦ ସମୟରେ ସରକାରଙ୍କ ନିୟମ, ନିର୍ଦ୍ଦେଶକୁ ମାନି ଚଳୁଛନ୍ତି । ଘରୁ ବାହାରୁ ନାହାନ୍ତି କି ଅନ୍ୟ ପାଇଁ ବିପଦର କାରଣ ପାଲଟୁ ନାହାନ୍ତି ।

ମାତ୍ର ରାଜ୍ୟର ୧୦ ପ୍ରତିଶତ ଲୋକ ହିଁ ଲକଡାଉନକୁ ଏତେ ଗୁରୁତ୍ୱର ସହ ନେଉ ନାହାନ୍ତି । ନିୟମ ନମାନି ବାହାରକୁ ବାହାରୁଛନ୍ତି । ଆଉ ସେହି ୧୦ ପ୍ରତିଶ ଲୋକ ହିଁ ବାକି ୯୦ ପ୍ରତିଶତ ଲୋକଙ୍କ ପାଇଁ ବିପଦ ଆଣିପାରନ୍ତି । ତେଣୁ ସମ୍ପୃକ୍ତ ୧୦ ପ୍ରତିଶତଙ୍କୁ ସାବାଡ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରେସମିଟରେ ୧୦ ପ୍ରତିଶତ ଦାୟିତ୍ୱହୀନ ଲୋକଙ୍କ କଥା କହିଛନ୍ତି ସୁବ୍ରତ ବାଗଚୀ ।

ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବା ବେଳେ ଘରୁ କାହାରିକୁ ନବାହାରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି । ଆବଶ୍ୟକତା ନଥିଲେ କେହି ଘରୁ ଗୋଡ କାଢନ୍ତୁ ନାହିଁ ବୋଲି ସରକାର ବାରମ୍ବାର ନିବେଦନ କରୁଛନ୍ତି । ହେଲେ ତଥାପି କିଛି ଲୋକ ବିଭିନ୍ନ ବାହାନା କରି ଘରୁ ବାହାରୁଛନ୍ତି, ବଜାର ହାଟରେ ଘେରାଏ ବୁଲି ଆସୁଛନ୍ତି । ଅନେକ ଲୋକ ବିନା କାମରେ ଛକରୁ ବୁଲି ଆସୁଥିବା କିମ୍ବା ମେଡିସିନ ନେବା ବାହାନା କରି ସାଙ୍ଗମାନଙ୍କୁ ଦେଖା କରିବା ପାଇଁ ଯାଉଥିବା ଅଭିଯୋଗ ହୋଇଛି । ଆଉ ସେହି ଅମାନିଆ ଲୋକଙ୍କ ସଂଖ୍ୟା ହେଉଛି ୧୦ ପ୍ରତିଶତ ।

ସେପଟେ ତାଲାବନ୍ଦକୁ ଖାମଖିଆଲି ଭାବେ ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୧୪୦୦ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ପୋଲିସ ଡିଜି । ସେହିପରି ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ୧୪ ଦିନ ଘରେ ନରହି ଯଦି କେହି ନିୟମ ଭାଙ୍ଗନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବର୍ତ୍ତମାନ ସୁଦ୍ଧା ୬୧ଟି କ୍ୱାରେଣ୍ଟାଇନ ଭଙ୍ଗ ମାମଲା ହୋଇଛି । ତେଣୁ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କୁ ନିୟମ ନଭାଙ୍ଗିବାକୁ କହିଛନ୍ତି ଡିଜିପି ।