କନକ ବ୍ୟୁରୋ : ରାଜ୍ୟରେ ବୟସ୍କ ବ୍ୟକ୍ତିମାନଙ୍କ ଉପରୁ କରୋନା ବିପଦ ଟଳିନି। ଏବେ ରାଜ୍ୟରେ କରୋନାରେ ଯେତେ ଲୋକ ମରୁଛନ୍ତି ସେଥିରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ତେଣୁ ବୟସ୍କ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଉପରେ ଗୁରୁତ୍ବ ଦିଆଯାଉଛି। ହେଲେ ଏବେ ବି ରାଜ୍ୟର ଆନୁମାନିକ ୧୦ ପ୍ରତିଶତ ବୟସ୍କ ବ୍ୟକ୍ତି କରୋନାର ଦୁଇ ଡୋଜ୍ ଟିକା ନେଇ ନ ଥିବା କୁହାଯାଉଛି। ନିକଟରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ କରୋନାରେ ମୃତ୍ୟୁ ଏହି ଆଶଙ୍କାକୁ ଆହୁରି ଘନୀଭୂତ କରିଛି।
ରାଜ୍ୟରେ ପ୍ରାୟ ୪୦ଲକ୍ଷ ବୟସ୍କ ଲୋକ ଥିବା ବେଳେ ତହିଁରୁ ୪ଲକ୍ଷ ଲୋକ ଏବେ ବି ନିଜର ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି। ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ତହିଁରୁ ୨୦ ପ୍ରତିଶତ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। ରାଜ୍ୟରେ ୮୭ ପ୍ରତିଶତ ଲୋକ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଚଳିତମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତିକମରେ ପ୍ରଥମ ଡୋଜ୍ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଗ୍ରାମାଞ୍ଚଳକୁ ଅଧିକ ଫୋକସ୍ କରାଯାଇଛି।
ରାଜ୍ୟରେ ଗତମାସ ୬୧ଜଣ କରୋନାରେ ପ୍ରାଣ ହରାଇଥିଲେ। ତହିଁରୁ ୭୦ ପ୍ରତିଶତ ଅର୍ଥାତ୍ ୪୩ଜଣଙ୍କ ବୟସ ୬୦ରୁ ଅଧିକ। କେବଳ ମୃତ୍ୟୁ ନୁହେଁ, କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଆଡମିଟ୍ ହେଉଥିବା ବ୍ୟକ୍ତିଙ୍କ ବୟସ ମଧ୍ୟ ବେଶ୍ ଅଧିକ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। କରୋନାର ପ୍ରଥମ ଲହରରେ ବୟସ୍କ ବ୍ୟକ୍ତି ସର୍ବାଧିକ ପ୍ରାଣ ହରାଇଥିଲେ। ମାତ୍ର ଗତବର୍ଷ କରୋନା ପାଇଁ କୌଣସି ଟିକା ଉପଲବ୍ଧ ହେଉ ନ ଥିଲା। ଏ ସମୟରେ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ କେସ୍ ଫାଟାଲିଟି ରେଟ୍ ବା ସିଏଫ୍ଆର ୨.୨୬ ପ୍ରତିଶତ ରହିଥିଲା। ୪୧-୬୦ବର୍ଷ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୦.୭୬ ପ୍ରତିଶତ ଦେଖିବାକୁ ମିଳିଥିଲା। ମାତ୍ର କରୋନାର ଦ୍ବିତୀୟ ଲହରରେ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ସିଏଫ୍ଆର ଦ୍ବିଗୁଣିତ ହୋଇଯାଇଥିଲା।
ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ଟିକା ନେବାକୁ କହୁଛନ୍ତି। ବାରମ୍ବାର ଗଣମାଧ୍ୟମ ଜରିଆରେ ଟିକା ନେବାକୁ ଲୋକମାନଙ୍କୁ ଅନୁରୋଧ କରାଯାଉଛି। ଏହାସତ୍ତ୍ବେ ଅନେକ ଟିକା ନେବାକୁ ଆସୁ ନାହାନ୍ତି। ରାଜ୍ୟରେ ଏବେ ୪୦ ଲକ୍ଷ ହିତାଧିକାରୀ ଟିକା ନେବାକୁ ଥିବା ବେଳେ ଏଥିରେ ସର୍ବାଧିକ ବୟସ୍କ ରହିଛନ୍ତି। ଲୋକମାନେ ତୁରନ୍ତ ଟିକା ନେବା ଦରକାର। ଯେଉଁମାନେ ଟିକା ନେବାରୁ ବଞ୍ଚିତ ହେବେ ସେମାନେ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିବେ। ଟିକା ସଂକ୍ରମଣକୁ ରୋକିପାରିବ ନାହିଁ, ମାତ୍ର ଗୁରୁତର ହେବାରୁ ରକ୍ଷା କରିବ। ତେଣୁ ଲୋକମାନେ ଟିକା ନେବାକୁ ଆସନ୍ତୁ ବୋଲି ଡା.ପାଣିଗ୍ରାହୀ କହିଛନ୍ତି।