ରାଜ୍ୟରେ ୨ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା: ଗୋଟିଏ ଦିନରେ ଆଉ ୧୦ ମୁଣ୍ଡ ନେଲା ଭୂତାଣୁ, ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି; ୨୪ ଘଂଟାରେ ରାଜ୍ୟରେ ସାମ୍ନାକୁ ଆସିଲା ନୂଆ ୧୩୮୪ ମାମଲା

310

କନକ ବ୍ୟୁରୋ: ରାଜ୍ୟରେ ୨ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ଆଉ ୧୦ ମୁଣ୍ଡ ନେଲା ଭୂତାଣୁ । ଗଂଜାମରୁ ୩, ରାୟଗଡାରୁ ୩, ଗଜପତି ୨, ଖୋର୍ଦ୍ଧା ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ହୋଇଛି । ଅନ୍ୟପଟେ ଅଣକରୋନାରେ ଆଜି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ୪୧ରେ ପହଁଚିଛି ।

ଅନ୍ୟପଟେ, ଆଜି ରାଜ୍ୟରୁ ଆଉ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେନଟିନରୁ ଚିହ୍ନଟ ହୋଇଥିବାବେଳେ ୫୧୧ ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି । ଗଞ୍ଜାମରେ ସର୍ବାଧିକ ୩୩୧ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୧୧, କୋରାପୁଟରୁ ୯୭, କଟକରୁ ୮୯, ବାଲେଶ୍ୱରରୁ ୭୯, ଗଜପତିରେ ୬୧, ବଲାଙ୍ଗୀରରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ହଜାର ୯୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୪ ହଜାର ୦୯୫ ଜଣ ସକ୍ରିୟ ରୋଗୀ ଅଛନ୍ତି । ରବିବାର ପରୀକ୍ଷା ହୋଇଥିବା ୧୩ ହଜାର ୨୭୨ ନମୁନା ମଧ୍ୟରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।