କନକ ବ୍ୟୁରୋ : ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଆତଙ୍କବାଦୀ ସଙ୍ଗଠନ ଅନେକ ଲୋକଙ୍କୁ ଅପହରଣ କରି ନେଇଛି । ଅପହୃତଙ୍କୁ ଗାଜା ନେଇ ଯାଇଛି ଇସ୍ରାଏଲ ସେନା । ଯେଉଁମାନଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୃଦ୍ଧ, ବୃଦ୍ଧା ରହିଛନ୍ତି । ଏପରିକି କିଛି ପରିବାରର ସମସ୍ତ ସଦସ୍ୟଙ୍କୁ ହମାସ ଆତଙ୍କବାଦୀ ଅପହରଣ କରି ନେଇଛନ୍ତି । ସେହିଭଳି ଏକ ପରିବାରରୁ ୧୦ ଜଣ ସଦସ୍ୟଙ୍କୁ ହମାସ ଆତଙ୍କବାଦୀ ଅପହରଣ କରି ନେଇଛନ୍ତି । ଯେଉଁଥିରେ ୩ ଜଣ ଶିଶୁ ମଧ୍ୟ ରହିଛନ୍ତି । ହମାସ ଆକ୍ରମଣ ପରେ ଏମାନେ ନିଖୋଜ ହୋଇ ଯାଇଛନ୍ତି । ତେଣୁ ତାଙ୍କୁ ଅପହରଣ କରି ନିଆଯାଇଥିବା ଅନୁମାନ କରାଯାଉଛି ।

Advertisment

ଶନିବାର ସକାଳେ ହମାସ ଆତଙ୍କବାଦୀ ମାନେ ୨୦ ମିନିଟ୍ ମଧ୍ୟରେ ୫୦୦୦ ରକେଟ ମାଡ କରିଥିଲେ । ପରେ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତରେ ପଶି ସେଠାରେ ଥିବା ଲୋକଙ୍କୁ ହତ୍ୟା କରିବା ସହ କିଛି ଲୋକଙ୍କୁ ଅପହରଣ କରି ନେଇଥିଲେ । ଲୋକଙ୍କୁ ଗୁଳି କରି ହତ୍ୟା କରିବା ସହ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ହମାସ ଆତଙ୍କବାଦୀ । ଛୋଟ ଛୋଟ ପିଲାଙ୍କୁ ଅପହରଣ କରି ନେଇଥିଲେ । ହମାସ ଆତଙ୍କବାଦୀ ଅପହରଣ କରି ନେଇଥିବା ପରିବାର ମଧ୍ୟରେ ଇସ୍ରାଏଲ ଓକିଲ ଶୈକଡ ହେରନଙ୍କ ପରିବାର ମଧ୍ୟ ରହିଛି ।

ହେରନ ଆମେରିକାରେ ନିଜ ପତ୍ନୀ ଓ ସନ୍ତାନଙ୍କ ସହ ରହୁଥିବା ବେଳେ ତାଙ୍କର ପୂରା ପରିବାର ଇସ୍ରାଏଲରେ ରହୁଥିଲେ । ଇସ୍ରାଏଲ ଉପରେ ଆକ୍ରମଣ ପରେ ଯେତେବେଳେ ହେରନ ପରିବାର ସହ ସମ୍ପର୍କ କରିବାକୁ ଚାହିଁଲେ ସେତେବେଳେ ଅପରପକ୍ଷରୁ କିଛି ଭିନ୍ନ ଭାଷା ଶୁଣିବାକୁ ମିଳିଥିଲା । ଯାହା ବୁଝି ହୋଇନଥିଲା କିନ୍ତୁ ଏହି ଶବ୍ଦ ଭିତରେ କିଡନାପ୍ ଓ ଗାଜା ଶବ୍ଦକୁ ବୁଝି ହୋଇଥିଲା । ତେଣୁ ପରିବାରକୁ ଅପହରଣ କରି ଗାଜା ନେଇ ଯାଇଥିବା ଅନୁମାନ କରୁଛନ୍ତି ହେରନ ।

ହେରନଙ୍କ ପରିବାର ଗାଜା ପଟ୍ଟି ନିକଟରେ ରହୁଥିଲେ । ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ହମାସ ଆତଙ୍କବାଦୀ ଏହି ଅଞ୍ଚଳରେ ଆତଙ୍କ ରଚିଥିଲେ । ଏହି ଅଞ୍ଚଳରେ ଶହ ଶହ ଶବ ପଡି ରହିଥିଲା । ହେରନ ଏବେ ନିଜର ପରିବାରକୁ ନେଇ ବେଶ ଚିନ୍ତିତ ଥିବା କହିଛନ୍ତି ।