ଦେଶରେ ଅଣାୟତ କରୋନା ସ୍ଥିତି । ସଂକ୍ରମିତଙ୍କ ସଂଖ୍ୟା ୧.୪ କୋଟିରୁ ୧.୫ କୋଟିରେ ପହଂଚିବାକୁ ଲାଗିଲା ମାତ୍ର ୪ ଦିନ । ମଶାଣିରେ ଲିଭୁନି ଜୁଇ ଚିତା

72

କନକ ବ୍ୟୁରୋ : ମେଡିକାଲ ବାହାରେ କରୋନା ସଂକ୍ରମିତଙ୍କୁ ବୋହି ଆଣିଥିବା ଆମ୍ବୁଲାନ୍ସର ଲମ୍ବା ଲାଇନ । ମେଡିକାଲ ଭିତରେ ଯେତିକି ରୋଗୀ ବାହାର ବାରଣ୍ଡାରେ ଶୋଇ ରହିଛନ୍ତି ତାହାଠାରୁ ଅଧିକ । ଏଭଳି କି ଗୋଟିଏ ବେଡରେ ଦୁଇରୁ ଅନେକ ରୋଗୀ ଶୋଇଥିବାର ଚିତ୍ର ସରକାରଙ୍କ ବିକାଶ ମଡେଲର ଧର୍ଜିଆ ଉଡାଉଛି । ମେଡିସିନ୍ ନାହିଁ, ବେଡ ନାହିଁ, ଅକ୍ସିଜେନ ନାହିଁ । ନାହିଁ ନାହିଁ ଭିତରେ କିନ୍ତୁ ଜମିଲା କୁମ୍ଭମେଳା, ନାହିଁ ନାହିଁ ଭିତରେ ଜମୁଛି ନିର୍ବାଚନ ପ୍ରଚାର । ଲକ୍ଷ ଲକ୍ଷ ଲୋକଙ୍କୁ ଧରି ସଭା କରୁଥିବା ନେତା ମାନେ ମଞ୍ଚରେ କିନ୍ତୁ ଭାଷଣ ଦେଉଛନ୍ତି ସାମାଜିକ ଦୂରତା ବଜାୟ ରଖନ୍ତୁ ଓ ମୁହଁରେ ମାସ୍କ ପିନ୍ଧନ୍ତୁ । ଏସବୁର ସୁଯୋଗ ନେଉଛି କରୋନା ଭୂତାଣୁ ।

ସୋମବାର ଦିନ ସ୍ୱାସ୍ଥ୍ୟମନ୍ତ୍ରଣାୟ ଦ୍ୱାରା ଜାରି ସୂଚନା ମୁତାବକ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୫ କୋଟି ପାର କରିଛି । ଏହି ସଂଖ୍ୟା ସୂଚାଇ ଦେଉଛି କି କରୋନା ସଂକ୍ରମଣ ବେଗ କିଭଳି ରହିଛି । କହିରଖୁ କି ମାତ୍ର ୪ ଦିନ ପୂର୍ବରୁ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୪ କୋଟି ଥିଲା । ହେଲେ ଠିକ୍ ୪ ଦିନ ପରେ ଏହା ୧.୫ କୋଟିକୁ ବୃଦ୍ଧି ପାଇଛି । ଅର୍ଥାତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଦିନ ମଧ୍ୟରେ ୧୦ ଲକ୍ଷ ପାର କରିଛି । କରୋନାର ପ୍ରଥମ ଲହରେ ବେଳେ ୧୦ ଲକ୍ଷ ଲୋକ ସଂକ୍ରମିତ ହେବାକୁ ୧୬୯ ଦିନ ଲାଗିଥିଲା । ହେଲେ ଦ୍ୱିତୀୟ ଲହରରେ ପ୍ରଥମ ୧୦ ଲକ୍ଷଲୋକ ୧୧ ଦିନରେ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ୧୦ ଲକ୍ଷ ଲୋକ ସଂକ୍ରମିତ ହେବା ପାଇଁ ମାତ୍ର ୪ ଦିନ ଲାଗିଲା । ଏହାକୁ ଦେଖି ଅନୁମାନ କରାଯାଇପାରେ ଯେ କରୋନା ଭୂତାଣୁ ବିଧାତା ଠାରୁ ବିଜ୍ଞାନ ପର୍ଯ୍ୟନ୍ତ ସମସ୍ତଙ୍କୁ ବେଖାତିର କରି ଆଗେଇ ଚାଲିଛି ।