ସଂକ୍ରମଣ ବଢୁଥିବା ବେଳେ ଆଜି ଖୋଲୁଛି ଦେଶର ଐତିହ୍ୟସ୍ଥଳ: କରୋନା କଟକଣା ମାନି ବୁଲିପାରିବେ ପର୍ଯ୍ୟଟକ; ଐତିହ୍ୟ କୀର୍ତ୍ତିରାଜି ଜୁଲାଇ ୩୧ ଯାଏଁ ନଖୋଲିବାକୁ ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାପାଳ ଲେଖିଲେ ଚିଠି

508

କନକ ବ୍ୟୁରୋ: ଆଜି ଦେଶରେ ଐତିହ୍ୟସ୍ଥଳୀଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । କଂଟେନମେଂଟ ଜୋନ ଗୁଡିକରେ ନଥିବା ଐତିହ୍ୟସ୍ଥଳୀକୁ ଖୋଲିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଐତିହ୍ୟସ୍ଥଳଗୁଡିକରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜ ବ୍ୟବସ୍ଥା କରିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏପଟେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ଐତିହ୍ୟ କିର୍ତିରାଜିକୁ ଜୁଲାଇ ୩୧ ଯାଏଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତି ନେଇଥିବା ଜଣାପଡିଛି । ଏନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ଓଡିଶା ସର୍କୁଲାର ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଆଜି ଐତିହ୍ୟ କୀର୍ତ୍ତିରାଜି ସ୍ଥଳ ଖୋଲିବା ନେଇ ଏଏସ‌ଆଇର ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ସହ ଯୋଗାଯୋଗ କରାଯାଇଥିଲା। ଶ୍ରୀ ମଲ୍ଲିକ କହିଥିଲେ, ଏଏସ୍‌ଆଇ ଅଧୀନରେ ଥିବା ଐତିହ୍ୟ ସ୍ଥଳଗୁଡ଼ିକୁ ଜୁଲାଇ ୬ ତାରିଖରୁ ଖୋଲିବାକୁ ଗତ ୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ନିର୍ଦ୍ଦେଶ ଦେଇଥିଲେ।

ଏହି ଅନୁଯାୟୀ ଓଡ଼ିଶାରେ ଥିବା କୀର୍ତ୍ତିସ୍ଥଳଗୁଡ଼ିକୁ ଖୋଲିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା। ଏହା ଭିତରେ କେବଳ ୩ଟି ଜିଲ୍ଲାର ଜିଲ୍ଲାପାଳମାନେ ଐତିହ୍ୟସ୍ଥଳ ଖୋଲିବାକୁ ମନା କରିଥିବାବେଳେ ବାକି ଜିଲ୍ଲାପାଳମାନେ କିଛି ବି ଉତ୍ତର ରଖିନାହାନ୍ତି। ଯେହେତୁ ସେସବୁ ଜିଲ୍ଲା ପ୍ରଶାସନ ଏଯାଏ କିଛି ବି ଉତ୍ତର ରଖିନାହାନ୍ତି, ସେଥିପାଇଁ ଆଜି ବାରଣ ହୋଇନଥିବା ଐତିହ୍ୟ ସ୍ଥଳଗୁଡ଼ିକ ଖୋଲାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଗାଇଡଲାଇନ୍‌ ଆଧାରରେ ଏସବୁ ସ୍ଥଳ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।