ବେଙ୍ଗାଲୁରୁ ଆସିଥିବା ୧୦ ଆଫ୍ରିକୀୟ ବିଦେଶୀ ଗାଏବ । ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ।

282

କନକ ବ୍ୟୁରୋ: ଓମିକ୍ରନକୁ ନେଇ ବଢିଲା ବେଙ୍ଗାଲୁରୁ ମହାନଗରପାଳିକା ସ୍ୱସ୍ଥ୍ର୍ୟ ବିଭାଗର ଚିନ୍ତା । କାରଣ ଏଠାକୁ ଆସିଥିବା ୧୦ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ପତ୍ତା ମିଳୁନି । ସେମାନଙ୍କ ଫୋନ୍ ବି ଲାଗୁନି । ଏହାକୁ ନେଇ ବେଙ୍ଗାଳୁରୁ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ।

କର୍ଣ୍ଣାଟକକୁ ଏବେ ଘାରୁଛି ଓମିକ୍ରନ୍ ଭୟ । କାରଣ ପୂର୍ବରୁ ଏଠାରେ ୨ଜଣ ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍ ପଜିଟିଭ୍ ମିଳିଥିବାବେଳେ ଏବେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ଜଣ ବିଦେଶୀଙ୍କୁ ନେଇ ଭୟ । କାରଣ ବିଦେଶରୁ ଫେରିଥିବା ଏହି ୧୦ଜଣଙ୍କ ପତ୍ତା ଠିକଣା ମିଳୁନି କିମ୍ବା ଏମାନଙ୍କ ଫୋନ୍ ଲଗାଇଲେ ବି ସ୍ୱିଚ୍ ଅଫ୍ ଆସୁଛି । ଏପରି ସ୍ଥିତରେ ସେମାନଙ୍କୁ ଟ୍ରାକିଂ କରିବା ଏଠିକାର ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି । ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କ ସହ ଯୋଗଯୋଗ କରିପାରୁନାହାଁନ୍ତି ।

ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହେବା ପରେ ଏଠାରୁ ବେଙ୍ଗାଲୁରୁକୁ ୫୭ ଜଣ ଯାତ୍ରୀ ଆସି ପହଞ୍ଚିଲେଣି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ କିଛି ପତ୍ତା ମିଳୁନି । ବିମାନବନ୍ଦରରେ ଆସି ପହଞ୍ଚିବା ସମୟରେ ଯେଉଁ ଠିକଣା ଲେଖିଥିଲେ ସେ ସ୍ଥାନରେ ମଧ୍ୟ ତାଙ୍କର ଦେଖା ମିଳୁନାହିଁ । ତେବେ ଏହାକୁ ନେଇ ରାଜ୍ୟ ବାସୀ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।