ହୃଦୟଥରା ହିମସ୍ଖଳନ । ତପୋବନ ଡ୍ୟାମ ଅଞ୍ଚଳରୁ ୧୦ ମୃତଦେହ ଉଦ୍ଧାର । ଟନେଲରେ ଫଶିଥିବା ୧୬ ଜଣଙ୍କୁ ଉଦ୍ଧାର କଲେ ଆଇଟିବିପି ଯବାନ ।

318

କନକ ବ୍ୟୁରୋ: ଆଜି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ହଠାତ୍ ପାଣି ମାଡ଼ି ଆସିବାରୁ ୧୦୦-୧୫୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଧଉଳି ଗଙ୍ଗା ନଦୀରୁ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଛି। ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଏହା ସହ ତପୋବନ ଡ୍ୟାମ ପାଖ ଟନେଲରେ ଫସି ରହିଥିବା ୧୬ଜଣ ଶ୍ରମିକଙ୍କୁ ସଫଳତାର ସହ ଆଟିବିପି ଯବାନ ଉଦ୍ଧାର କରିଛନ୍ତି।

ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ଉଦ୍ଧାରକାର୍ଯ୍ୟରେ ଲାଗିଥିବା ବେଳେ କୌଣସି ପ୍ରକାରର ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ହେଲପଲାଇନ ନମ୍ବର ଜାରି କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକେ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ ବା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିପାରିବେ।

ଏହି ହିମସ୍ଖଳନ କାରଣରୁ ବିଦ୍ୟୁତ୍ ପ୍ରକଳ୍ପ ଋଷି ଗଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ରୁ ୫୦ଜଣ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ୟ୍ୟ ଚାଲିଛି। ଏହା ସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାରକାର୍ୟ୍ୟ ପାଇଁ ଆଟିବିପି, ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ସହ ବାୟୁସେନାର ହେଲିକପ୍ଟରକୁ କାମରେ ଲଗାଯାଇଛି ।

ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଗାଁ ନିକଟ ଦେଇ ବହି ଯାଇଥିବା ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ହରିଦ୍ୱାର, ଋଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ନଜରରେ ରଖି ଲୋକେ ସତର୍କ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।