ଅଶୁଭ ମଙ୍ଗଳବାର : ଦୁର୍ଘଟଣା ବେଳର ଲୋମଟାଙ୍କୁରା ଅନୁଭୂତି

ମଇଁଷି ସହ ଧକ୍କା ପରେ ହୋଇଥିଲା ଅଘଟଣ

2,747

କନକ ବ୍ୟୁରୋ: କଟକ ମହାନଦୀ ବସ୍ ଦୁର୍ଘଟଣାରେ ୧୦ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ  ୩ ଜଣ ମହିଳା ଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ଆହୁରି ୪୬ ଆହତ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ୫ଜଣ ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି ।

ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ର ପରମିଟ୍ ଠିକ୍ ଥିବା ଆରଟିଓ କହିଛନ୍ତି । ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି, ଦୁର୍ଘଟଣାର ତଦନ୍ତ ଚାଲିଛି । ଆରଟିଓ ଓ ଏମ୍ଭିଆଇଙ୍କ ସମେତ ପୋଲିସ ଘଟଣାର ତଦନ୍ତ କରୁଛନ୍ତି । ସେମାନଙ୍କ ରିପୋର୍ଟ ମିଳିବା ପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

ଚାଲିଗଲେ ଆରପାରିକୁ..

ଅନିତା ଆଚାର‌୍ୟ୍ୟ, ଡିଏଭି ସ୍କୁଲ, ଡେରା, ତାଳଚେର

ବସନ୍ତ କୁମାର ପ୍ରଧାନ, ହୋଲିପୁର, କିଶନନଗର, କଟକ

ଅଶ୍ବିନୀ କୁମାର ବେହେରା, ନରସିଂହପୁର; କଟକ

ମାନସ ତ୍ରିପାଠୀ, ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର

ସନ୍ତୋଷ କୁମାର ଦାସ, ଏଲ୍‌ସିଆର ୫୧୦, ରାଉରକେଲା

ମୀନତି ବେହେରା, ହିନ୍ଦୋଳରୋଡ଼, ‌ମୋଟଗାଁ, ଢେଙ୍କାନାଳ

ପୂର୍ଣ୍ଣଚନ୍ଦ୍ର ମହାରଣା (ମନିପର୍ସରେ ଲେଖା ହୋଇଥିବା ନାମ)

ପିକେ ମହାପାତ୍ର (ମନିପର୍ସରେ ଲେଖା ହୋଇଥିବା ନାମ)

ଯାମିନୀ ବଲ୍ଲଭ ଦାସ, ପୁରୀ

ବର୍ଷା ପାଣି (ଚନ୍ଦ୍ରଶେଖରପୁର, ଭୁବନେଶ୍ବର)

କିଛି ସମୟ ଝୁଲି ରହି ଖସି ପଡ଼ିଲା  

ଦୁର୍ଘଟଣାର ପ୍ରଥମ ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ଟ୍ରକ ଡ୍ରାଇଭର ମନୋଜ ସ୍ବାଇଁ। ମନୋଜ କହିବା ଅନୁଯାୟୀ ସେ‌ ସେହି ସମୟରେ କଟକରୁ ଜଗତପୁର ଆଡକୁ ଯାଉଥିଲେ। ବସଟି ପ୍ରଥମେ ମଇଁଷିକୁ ଧକ୍କା ଦେଇ ଡାହାଣ ପଟକୁ ମାଡିଗଲା। ଟାୟାର ଫାଟିଗଲା। ବାଡ ଭାଙ୍ଗି ନଦୀ ଭିତରକୁ ବସଟି କିଛି ସମୟ ଝୁଲି ରହିବା ପରେ ତଳକୁ ଖସି ପଡିଲା। ସେ ତୁରନ୍ତ ଏ ସଂପର୍କରେ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଲେ। ସମୀର ମହାନ୍ତି ଓ କାହ୍ନୁ ବେହେରା ନଈ ଭିତରେ କିନ୍ତୁ ଆଗରେ ପହଞ୍ଚି ଯାଇଥିଲେ ଦୁର୍ଘଟଣାସ୍ଥଳରେ।

ବଞ୍ଚିଗଲେ ଡ୍ରାଇଭର ‘ଲମ୍ବୁ’

ଦୁର୍ଘଟଣାଗ୍ରସ୍ତ ‘ଜଗନ୍ନାଥ’ ବସର ଡ୍ରାଇଭର ‘ଲମ୍ବୁ’ ବଞ୍ଚି ଯାଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ ଡ୍ରାଇଭରଙ୍କ ପାଖରେ ଆଗ ସିଟରେ ବସିଥିବା ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଡ୍ରାଇଭର ଲମ୍ବୁ କିନ୍ତୁ ଷ୍ଟିଅରିଂ ଭିତରେ ଫସି ରହିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଷ୍ଟିଅରିଂକୁ କଟରରେ କାଟି ତାଙ୍କୁ ଉଦ୍ଧାର କରିଥିଲେ।

୪୫ ସିଟର ଏସି ସ୍ଲିପର ବସ୍ 

ବଲଣ୍ଡାରୁ ସାଢେ ଦୁଇଟା ବେଳେ ‘ଜଗନ୍ନାଥ’-‘କିଙ୍ଗ ଫେରି ପାଣିସ’ ବାହାରି ଥିଲା ଭୁବନେଶ୍ବର ଅଭିମୁଖେ। ଦିନରେ ଆଜି ଗୋଟିଏ ଟ୍ରିପ ଭୁବନେଶ୍ବରରୁ ବଲଣ୍ଡା କରିବା ପରେ ପୁଣି ବଲଣ୍ଡାରୁ ଫେରୁଥିଲା ବସ। ବସରେ ୪୫ ସିଟ୍ ରହିଥିବା ବେଳେ ୧୨ଟି ସ୍ଲିପର ସିଟ ରହିଛି। ଏହି ଏସି ବସର ମାଲିକ ହେଉଛନ୍ତି ତାଳଚେର ବସ ସଂଘ ସଭାପତି ଶ୍ରୀକାନ୍ତ କୁମାର ପାଣି।

ଦୁଇ ମାସ ତଳେ ହେଇଥିଲା ବାହାଘର

ମୁଣ୍ଡ ପିଟି କାନ୍ଦୁଥିଲେ ପରିବାର ଲୋକ। କାହା ମୁହଁରେ ଭାଷା ନଥିଲା। ମାତ୍ର ୩ ମାସ ତଳେ ବାହା ହୋଇଥିଲେ କଟକର ଦୀପକ ମହାପାତ୍ର। ଆଜି ବସରେ ଘରକୁ ଫେରୁଥିଲେ। ମାତ୍ର କେତେ ମିନିଟ ଭିତରେ ବସରୁ ଓହ୍ଲାଇ ଯାଇଥାନ୍ତେ ଘରକୁ। କିନ୍ତୁ ହଠାତ ସବୁ କିଛି ଓଲଟପାଲଟ ହେଇ ଯାଇଥିଲା। ବଡ ମେଡିକାଲରେ ଦୀପକଙ୍କ ମୃତଦେହ ପାଇଥିଲେ ପରିବାର ଲୋକ।

ଉଦ୍ଧାର କାର‌୍ୟ୍ୟ ଖୁବ କଷ୍ଟକର ଥିଲା

ବସଟି ବାଲିରେ ପଡିଥିବାରୁ ଉଦ୍ଧାର କାର‌୍ୟ୍ୟ ବେଶ କଷ୍ଟକର ଥିଲା। ଡୋର ଓ ଝରକା କାଟି ସମସ୍ତଙ୍କୁ ଉଦ୍ଧାର କରିବାକୁ ପଡିଥିଲା। ଦୁଇ ପଟ କୂଳରୁ ପାଣି ପରେ ମଝିରେ ବାଲି ଥିବା ଜାଗାରେ ବସ ପଡିଥିଲା। ପାଣିରୁ ପ୍ରାୟ ୪୦୦ ମିଟର ବାଲିରେ ଯିବାକୁ ପଡୁଥିଲା। ଏଭଳି ସ୍ଥିତିରେ ମୋଟ ୪୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଜଣେ ବାଳକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ନିରାପଦ ଅଛନ୍ତି। କିନ୍ତୁ ଉଦ୍ଧାର ହୋଇଥିବା ୭ରୁ ଅଧିକ ବରିଷ୍ଠ ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା।

ଦୁର୍ଘଟଣାର କାରଣ ଖୋଜାଯିବ: ଆର୍‌ଟିଓ

ଦୁର୍ଘଟଣା କିପରି ଘଟିଲା, ତାର କାରଣ ବର୍ତ୍ତମାନ ଖୋଜାଯିବ। ଯିଏ ଦୋଷୀ ବାହାରିବ, ତା’ ବିରୋ‌ଧରେ ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ଦୀପ୍ତିରଂଜନ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରାଥମିକ ଯାଞ୍ଚରୁ ବସ୍‌ରେ ସମସ୍ତ କାଗଜପତ୍ର ବୈଧ ଥିବା ଜଣାପଡ଼ିଛି। ବସଟି ମାତ୍ର ୨ ବର୍ଷ ତଳର। ତା‌ଳଚେର ଆର୍‌ଟିଓ ବି ଆସୁଛନ୍ତି। ଡ୍ରାଇଭର୍‌ଙ୍କୁ ଜେରା ପରେ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଖାଲି ଚିତ୍କାର ଆଉ ଚିତ୍କାର

ଦୁର୍ଘଟଣା ଘଟିବାର ମାତ୍ର ୧୦ ମିନିଟ ଭିତରେ ଖବର ପାଇ ଉଦ୍ଧାର କାର‌୍ୟ୍ୟ ପାଇଁ ତୟାର ହେଇଯାଇଥିଲେ ଗାନ୍ଧୀପଲ୍ଲୀର ୭ ଜଣ ଯୁବକ। ସେମାନେ ବୋଟକୁ ଅପେକ୍ଷା ନକରି ପାଣିରେ ପହଁରି ପହଞ୍ଚି ଯାଇଥିଲେ ବସ୍ ପାଖରେ। କାଳିଆ ରେଡ୍ଡୀଙ୍କ କହିବା ଅନୁଯାୟୀ ବସ ଭିତରୁ ସେତେବେଳେ ଚିତ୍କାର ଶୁଭୁଥିଲା। ସଂପୂର୍ଣ୍ଣ ଅନ୍ଧାର ଥିବାରୁ ଠିକରେ କିଛି ଜଣା ପଡୁ ନଥିଲା। ଓଡ୍ରାଫ ଟିମ ପହଞ୍ଚିବା ପରେ ତାଙ୍କ ସହ ମିଶି ଆହତଙ୍କୁ କାନ୍ଧରେ ବୁହାଇ କୂଳକୁ ଆଣିଥିଲେ। ଗାନ୍ଧୀ ପଲ୍ଲୀର ରାଜୁ, କିଶୋର, ସୀମା, କାଳିଆ, ଟୁନୁ, ରାକେଶ, ଉମା ଏଥିରେ ସାମିଲ ହୋଇଥିଲେ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ବଡମେଡିକାଲ ଗସ୍ତ କରି ଆହତଙ୍କୁ ଭେଟିଛନ୍ତି । କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ପ୍ରଭାତ ବିଶ୍ୱାଳ, ତାଳଚେର ବିଧାୟକ ବ୍ରଜକିଶୋର ତ୍ରିପାଠୀ ଏସ୍ସିବି ଯାଇ ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ମଧ୍ୟ ଏସସିବି ଯାଇ ଆହତଙ୍କ ଚିକିତ୍ସା ନେଇ ଅନୁଧ୍ୟାନ କରିଛନ୍ତି ।

ଆହତଙ୍କୁ ଯେପରି ୨୪ ଘଂଟିଆ ଏବଂ ଉନ୍ନତ ଚିକିତ୍ସା ମିଳିପାରିବ ସେନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହା ମଧ୍ୟରେ ହେଲ୍ପ ଲାଇନ ଆରମ୍ଭ କରିଛି ପ୍ରଶାସନ । ୦୬୭୧-୨୩୦୪୦୦୧ ନମ୍ବରକୁ ଫୋନ କଲେ ଆହତଙ୍କ ପରିଚୟ ଏବଂ ଆନୁଷଙ୍ଗିକ ତଥ୍ୟ ମିଳିପାରିବ ବୋଲି ଜଣାପଡିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା । ତାଳଚେରରୁ ଭୁବନେଶ୍ୱର ଆସୁଥିବା ଘରୋଇ ବସ୍ଟି ଜଗତପୁର ନିକଟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ମହାନଦୀ ବ୍ରିଜ୍ ଉପରେ ଏକ ମଇଁଷିକୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ମହାନଦୀ ପୋଲ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଖସିପଡିଥିଲା ।