୧୦ କୋଟି ୟୁଜର୍ସଙ୍କ ତଥ୍ୟ ହୋଇଛି ଲିକ୍! କେଉଁ ମୁହୂର୍ତ୍ତରେ ଆକାଉଣ୍ଟ ହୋଇଯାଇପାରେ ଖାଲି, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି?

2,633

କନକ ବ୍ୟୁରୋ : ଡେବିଟ-କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ପ୍ରାୟ ୧୦ କୋଟି କାର୍ଡଧାରକଙ୍କ ତଥ୍ୟ ଲିକ୍ ହୋଇଥିବାର ଖବର ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଉ ଏହି ୧୦ କୋଟି କାର୍ଡଧାରକଙ୍କ ଭିତରେ ଆପଣଙ୍କର ତଥ୍ୟ ଯେ ନଥିବା ତାହା କିଏ ବା କହିବ । ସିଧାସଳଖ କହିବାକୁ ଗଲେ ଆପଣଙ୍କ ଆକାଉଣ୍ଟ ଉପରେ ମଧ୍ୟ ଏବେ ସାଇବର ହ୍ୟାକର୍ସଙ୍କ ନଜର ଥାଇପାରେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲିକ୍ ହୋଇଥିବା କାର୍ଡଧାରକଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବ ଜରିଆରେ ବିକ୍ରି କରାଯାଉଛି । ଯେଉଁଥିରେ ଖାତାଧାରକଙ୍କ ନାଁ ଠାରୁ ମୋବାଇଲ ନମ୍ବର, ବ୍ୟକ୍ତିଗତ ତଥ୍ୟ ଠାରୁ ଡେବିଟ ଓ କ୍ରେଡିଟ କାର୍ଡର ସବିଶେଷ ତଥ୍ୟ ରହିଛି । ଅନଲାଇନରେ ପେମେଣ୍ଟ ନେଉଥିବା ଜସପେ ନାମକ ଏକ ପେମେଣ୍ଟ ଗେଟୱେରୁ ଏହି ତଥ୍ୟ ଲିକ୍ ହୋଇଛି । ତେଣୁ ଏହି ତଥ୍ୟ ଯଦି କୌଣସି ସାଇବର ଠକଙ୍କ ହାତରେ ଲାଗେ ତେବେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହି ଡାର୍କ ୱେବ କଣ ଓ ଏହା ମାଧ୍ୟମରେ କାହିଁକି କୋଟି କୋଟି ୟୁଜର୍ସଙ୍କର ତଥ୍ୟ ବିକ୍ରି ହେଉଛି ।

ଗୋଟିଏ ପଟେ କାର୍ଡଧାରକଙ୍କ ତଥ୍ୟ ଚୋରି ହୋଇଥିବା ବେଳେ ଆକାଉଣ୍ଟ ଖାଲି ହେବା ପୂର୍ବରୁ କିଭଳି ନିଜ ଆକାଉଣ୍ଟ ଓ ଟଙ୍କାକୁ ସୁରକ୍ଷତି ରଖିବେ ତାହା ଜାଣି ରଖିବା ନିହାତି ଆବଶ୍ୟକ । ଖାସକରି ଅନଲାଇନ ପେମେଣ୍ଟ ବେଳେ କାର୍ଡ ସେଭ୍ ପାଇଁ ଆସୁଥିବା ବିକଳ୍ପକୁ ଆଦୌ ବାଛନ୍ତୁ ନାହିଁ । ଯଦି କୌଣସି ୱେବସାଇଟରେ କାର୍ଡ ସେଭ କରିଥାନ୍ତି ତେବେ ତୁରନ୍ତ ଡିଲିଟ୍ କରାଇ ନିଅନ୍ତୁ ।

ଏହାବାଦ୍ କିଛି ମାସ ବ୍ୟବଧାନରେ ପାସୱାର୍ଡ ବଦଳାଇ ଦିଅନ୍ତୁ । ଏସବୁ ବ୍ୟତୀତ କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ମଝିରେ ମଝିରେ କାର୍ଡର ଲିମିଟ କମାଇଦେବା ଏହାକୁ ସୁରକ୍ଷିତ ରଖିପାରିବେ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ । ମିଳିଥିବା ରିପୋର୍ଟ ମୁତାବକ, ୧୦ କୋଟି ୟୁଜର୍ସଙ୍କର କାର୍ଡ ତଥ୍ୟ ପ୍ରାୟ ୫ ମାସ ତଳେ ଅଥାର୍ତ ଅଗଷ୍ଟ ୨୦୨୦ରେ ଲିକ୍ ହୋଇଛି । ୨୦୧୭ରୁ ୨୦୨୦ ମଧ୍ୟରେ ୟୁଜର୍ସଙ୍କର ସମସ୍ତ ତଥ୍ୟ ଡାର୍କ ୱେବ ମାଧ୍ୟମରେ ବିକ୍ରି ହେଉଛି । ତେଣୁ ସାଇବର ଠକ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରିବା ପୂର୍ବରୁ ନିଜ କାର୍ଡର ପିନ୍ ବଦଳାଇବା ସହ ଆବଶ୍ୟକସ୍ଥଳେ ପୁରୁଣା କାର୍ଡ ବଦଳରେ ନୂଆ କାର୍ଡ ଆଣନ୍ତୁ । ଯାହାଦ୍ୱାରା ଆପଣଙ୍କ ଆକାଉଣ୍ଟ ସାଇବର ଠକଙ୍କ ଠାରୁ ସୁରକ୍ଷିତ ରହିପାରିବ ।