କରୋନା ଟିକା ପାଇଁ ଭାରତକୁ ସହାୟତା ମାଗିଲେ ୧୦ ଟି ଦେଶ । ଭାରତକୁ ପତ୍ର ଲେଖି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଅନୁରୋଧ । ସିରମ ଇନଷ୍ଟିଚ୍ୟୁଟ୍ ସହ ଚୁକ୍ତି କଲା ନେପାଳ, ଭୂଟାନ,ଓ ବାଂଲାଦେଶ

530

କନକ ବ୍ୟୁରୋ : କରୋନା ଭଳି ମହାମାରୀ ସହିତ ଲଢିବାରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇଛି । ଏବେ ଭାରତ ତାର ସ୍ୱଦେଶୀ ଜ୍ଞାନ କୌଶଳରେ ୨ ଟି କରୋନା ଟିକା ପ୍ରସ୍ତୁତ କରି ସାରିଛି । ଏହାସହ ପ୍ରସ୍ତୁତ ହୋଇଥିବା ଟିକାକୁ ବି ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ମଞ୍ଜୁରୀ ପାଇଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଚଳିତ ମାସ ୧୬ ତାରିଖରୁ ଲୋକମାନଙ୍କୁ ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି । ଏହା ସହ ଟିକାକରଣ ବାବଦରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।
ହେଲେ ଏଭଳି ସ୍ଥଳେ ଭାରତକୁ ୧୦ ଟି ଦେଶ ଟିକା ପାଇଁ ସହାୟତା ମାଗିଛନ୍ତି । ସେମାନଙ୍କ ମଧ୍ୟରେ ବ୍ରାଜିଲ, ମରକ୍ସୋ, ସୌଦି, ମ୍ୟାନମାର, ବାଂଲାଦେଶ, ଭୂଟାନ, ନେପା, ଦକ୍ଷିଣଆଫ୍ରିକା, ଶ୍ରୀଲଙ୍କା ଓ ଆଫଗାନିସ୍ଥାନ ଭଳି ଦେଶ ରହିଛନ୍ତି । ତେବେ ଭାରତ ସରକାର ନେପାଳ, ଭୂଟାନ, ଶ୍ରୀଲଙ୍କା,ଆଫଗାନିସ୍ଥାନ ଓ ବାଂଲାଦେଶକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି ।
କରୋନା ମହାମାରୀ ଆରମ୍ଭରୁ ଭାରତ ଯେମିତି ଭାବେ ଲଢେଇ ଜାରି ରଖିଛି ତାହାକୁ ଏବେ ବିଶ୍ୱ ସ୍ତରରୁ ପ୍ରଶଂସା କରାଯାଉଛି । ଏହାସହ ଦେଶୀ ଫାର୍ମରେ ଭାରତ ଯେଭଳି ଭାବେ ୨ ଟି କରୋନା ଟିକା ପ୍ରସ୍ତୁତ କରି ତାହାକୁ ବ୍ୟବହାର ଉପଯୋଗୀ କରାଇପାରିଲା ତାହାକୁ ନେଇ ଏବେ ବିଶ୍ୱ ଚକିତ ହୋଇଛି । କହିରଖୁ କି ମହାମାରୀ ଆରମ୍ଭରେ ଭାରତ ପିପିଇ କିଟ୍, ମାସ୍କ, ଭେଣ୍ଟିଲେଟର ଓ ଟେଷ୍ଟିଂ କିଟ୍ ପାଇଁ ଅନ୍ୟ ଦେଶ ମାନଙ୍କ ଉପରେ ନିର୍ଭର କରୁଥିଲା ।
ଏବେ ୧୦ ଟି ଦେଶ ଟିକା ସହାୟତା ମାଗିବା ନେଇ ଭାରତର ବର୍ହିବ୍ୟାପାର ମନ୍ତଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି କି ପୃଥିବୀର ଅନ୍ୟ ଦେଶକୁ ଟିକା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ରହିଛି । ସୂଚନା ଥାଉକି ନେପାଳ ଭାରତ ଠାରୁ ୨୦ ଲକ୍ଷ ଟିକା ନେବାକୁ ଯୋଜନା କରିଛି । ସେହିପରି ଭୂଟାନ ୧୦ ଓ ବାଂଲାଦେଶ ୩ କୋଟି ଟିକା ନେବାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ଚୁକ୍ତି କରିଛି    । ଏହାସହ ମ୍ୟାନମାର ମଧ୍ୟ ସେରମ ଇନଷ୍ଟିଚ୍ୟୁଟ୍ ସହିତ ଚୁକ୍ତି କରିଥିବା ସୂଚନା ମିଳିଛି ।