କର୍ଣ୍ଣାଟକରେ ଗତ ୨୦ ବର୍ଷ ମଧ୍ୟରେ ବଦଳିଲେଣି ୧୦ ମୁଖ୍ୟମନ୍ତ୍ରୀ । ସର୍ବନିମ୍ନ ୬ ଦିନ, ସର୍ବାଧିକ ୫ ବର୍ଷ ୨ ଦିନ ।

294

କନକ ବ୍ୟୁରୋ : ଭୋଟ ସରିଲା, ସରକାର ଭାଙ୍ଗିଲା । କର୍ଣ୍ଣାଟକର ୧୪ ମାସର କୁମାରସ୍ୱାମୀ ସରକାରରେ ପଡିଲା ପୂର୍ଣ୍ଣଚ୍ଛେଦ । କର୍ଣ୍ଣାଟକ ପାଇଁ ଏଭଳି ଅସ୍ଥିର ସରକାର କିଛି ନୂଆ କଥା ନୁହେଁ । କର୍ଣ୍ଣାଟକରେ ୫ ବର୍ଷ ସରକାରରେ ତିଷ୍ଠି ରହିବା ରାଜନୈତିକ ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ଗତ ୨ ଦଶନ୍ଧି ମଧ୍ୟରେ କର୍ଣ୍ଣାଟକବାସୀ ବାରମ୍ବାର ଦେଖି ଆସୁଛନ୍ତି ଅସ୍ଥିର ସରକାର । ଆଉ ସବୁଠୁ ବଡ କଥା ହେଲା, ଗତ ୨୦ ବର୍ଷ ମଧ୍ୟରେ କର୍ଣ୍ଣାଟକରେ ୧୦ ଥର ବଦଳିଲେଣି ମୁଖ୍ୟମନ୍ତ୍ରୀ ।

ଏହି ଦୁଇ ଦଶନ୍ଧି ମଧ୍ୟରେ କେବଳ କଂଗ୍ରେସର ସିଦ୍ଦରମୈୟାଙ୍କୁ ଛାଡିଦେଲେ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ୫ ବର୍ଷ କାର୍ଯ୍ୟକାଳ ଶେଷ କରିପାରିନାହାନ୍ତି । ଏହି ସମୟସୀମା ମଧ୍ୟରେ ୭ ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଏହାଛଡା ୨ ଥର ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ କରାଯାଇଛି । ଏକାଦଶ ବିଧାନସଭାରେ କଂଗ୍ରେସ ସରକାର ଗଢିଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏସ୍ ଏମ କ୍ରିଷ୍ଣା । ୧୧ ଅକ୍ଟୋବର ୧୯୯୯ରୁ ୨୮ ମେ’ ୨୦୦୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ଏସ୍ ଏମ୍ କ୍ରିଷ୍ଣା । ସେତେବେଳେ ୪ ବର୍ଷ ୨୩୦ ଦିନ ମୁଖ୍ୟମନ୍ତ୍ରୀ ରହିବା ସହ କର୍ଣ୍ଣାଟକକୁ ସ୍ଥିର ସରକାର ଦେଇଥିଲେ ।

ତେବେ ୨୦୦୪ରୁ ୨୦୧୩ ମଧ୍ୟରେ କର୍ଣ୍ଣାଟକରେ ପୁଣି ଦେଖିବାକୁ ମିଳିଥିଲା ରାଜନୈତିକ ସଙ୍କଟ । ଦୁଇଥର ରାଷ୍ଟ୍ରପତି ଶାସନ ଲାଗୁ ହେବା ସହ ୬ ଥର ବଦଳିଥିଲେ ମୁଖ୍ୟମନ୍ତ୍ରୀ । ଧରମ ସିଂ, କୁମାରସ୍ୱାମୀ, ୟେଦ୍ୟୁରପ୍ପା, ସଦାନନ୍ଦ ଗୌଡା, ଜଗଦୀଶ ସେଟ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ସ୍ଥିର ସରକାର ଦେବାରେ ବିଫଳ ହୋଇଥିଲେ । କିନ୍ତୁ ୨୦୧୩ରେ କର୍ଣ୍ଣାଟକରେ କଂଗ୍ରେସ କମବ୍ୟାକ୍ କରିଥିବା ବେଳେ ସିଦ୍ଦରମୈୟା ଧରିଥିଲେ ଶାସନ ଡୋରି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ କର୍ଣ୍ଣାଟକବାସୀଙ୍କୁ ଭେଟି ଦେଇଥିଲେ ୫ ବର୍ଷର ସ୍ଥ୍ିର ସରକାର ।

୨୦୧୩ରୁ ୨୦୧୮ । ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ସିଦ୍ଦରମୈୟା । କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକ ଭୋଟର ପୁଣି ମାରିଥିଲେ ୟୁଟର୍ଣ୍ଣ । କୌଣସି ଦଳକୁ ମିଳିନଥିଲା ବହୁମତ । କିନ୍ତୁ ବଡ ଦଳ ଭାବେ ସରକାର ଗଢିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ବିଏସ ୟେଦ୍ୟୁରପ୍ପା । କିନ୍ତୁ ୬ ଦିନ ମଧ୍ୟରେ ଫ୍ଲୋର ଟେଷ୍ଟରେ ଫେଲ୍ ହୋଇଥିଲେ ୟେଦ୍ୟୁରପ୍ପା । ଆଉ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସବୁଠୁ କମ ଆସନ ପାଇଥିବା ଜେଡିଏସକୁ ମୁଖ୍ୟମନ୍ତ୍ରୀ ଆସନ ଅଫର କରିବା ସହ ମେଣ୍ଟ ସରକାରରେ ଏଣ୍ଟ୍ରି ମାରିଥିଲା କଂଗ୍ରେସ । ଆଉ ଜେଡିଏସର କୁମାରସ୍ୱାମୀ ହୋଇଥିଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ।

ମେଣ୍ଟ ସରକାର ଗୋଟିଏ ବର୍ଷ ଠିକ୍ ଚାଲିବା ପରେ ସ୍ୱାମୀ ସରକାର ଉପରକୁ ମାଡି ଆସିଥିଲା ସଙ୍କଟ । ମେଣ୍ଟ ସରକାରରୁ ୧୫ ବିଧାୟକ ନିଜର ସମର୍ଥନ ଫେରାଇ ନେବା ପରେ ବହୁମତ ହରାଇଥିଲା କୁମାରସ୍ୱାମୀ ସରକାର । ଆଉ ଆଜି ଫ୍ଲୋର ଟେଷ୍ଟରେ ଫେଲ୍ ହେବା ପରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ଏହାସହ ପୁଣିଥରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।