କରୋନା ବେଳର ବଜେଟରେ ଚାଷୀ, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମୀ ଉପରେ ଫୋକସ । ଦେଖନ୍ତୁ ବଜେଟର ୧୦ଟି ବଡ଼ ଘୋଷଣା ।

407

କନକ ବ୍ୟୁରୋ : କରୋନା ସଙ୍କଟ ଭିତରେ ଆତ୍ମନିର୍ଭର ଭାରତ ଉପରେ ଜୋର ଦେଇ ମୋଦି ସରକାର ଆଜି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ବଢାଇ ଥିବା ବେଳେ ଆୟକର ସ୍ଲାବରେ କୌଣସି ପରିବର୍ତନ କରିନାହାନ୍ତି । ସେହିପରି ବିଦେଶ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ବୀମାକ୍ଷେତ୍ରରେ ଏଫଡିଆଇକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବଢାଇଛନ୍ତି ସରକାର । ସଂକଟ ସମୟରେ ଚାକିରିଆଠୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କଲା ଭଳି ଘୋଷଣା ହେବ ବୋଲି ଯେଉଁ ଆଶା କରାଯାଉଥିଲା, ବଜେଟରେ ସେଭଳି ଦେଖିବାକୁ ମିଳିଲା ନାହିଁ । ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କଣ ବଡ ଘୋଷଣା କରିଛନ୍ତି ।

(୧) ଚଳିତ ଆର୍ଥିକ ବର୍ଷ ପାଇଁ ଆୟକର ଛାଡ ସୀମାରେ କୌଣସି ପରିବର୍ତନ କରିନାହାନ୍ତି ସରକାର ।
(୨) ପେନସନଭୋଗୀ ଏବଂ ସୁଧ ଏକମାତ୍ର ଆୟର ଉତ୍ସ ହୋଇଥିବା ୭୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ ।
(୩) କରୋନା ପାଇଁ ସ୍ୱାସ୍ଥ୍ୟ ବଜେଟକୁ ୧୩୭ ପ୍ରତିଶତ ବଢାଇ ଚଳିତ ବଜେଟରେ ୨ ଲକ୍ଷ ୨୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
(୪) ଦେଶବାସୀ ମହାମାରି ସହ ଲଢୁଥିବା ବେଳେ କୋଭିଡ୍ ଭ୍ୟାକସିନ୍ ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
(୫) ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ଏଫଡିଆଇକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
(୬) ମୋଟ ଆତ୍ମନିର୍ଭର ଭାରତ ପାଇଁ ୨୭.୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି ।
(୭) ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ପାଇଁ ୬୪ ହଜାର ୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
(୮) ଭାରତୀୟ ରେଳ ବିଭାଗ ପାଇଁ ରେକର୍ଡ ପରିମାଣର ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
(୯) ଗ୍ରାମାଞ୍ଚଳରେ ଭିତିଭୂମିର ବିକାଶ ପାଇଁ ୩୦ହଜାର କୋଟି ଟଙ୍କାରୁ ୪୦ ହଜାର କୋଟି ଟଙ୍କାକୁ ବଢାଇଛନ୍ତି ସରକାର ।
(୧୦) ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ଉପରେ ଫୋକସ କରି ସଡକ ଭିତ୍ତିଭୂମି ପାଇଁ ୨ ଲକ୍ଷ ୨୭ ହଜାର କୋଟି ବ୍ୟୟବରାଦ କରାଯାଇଛି । ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ ଟଙ୍କାର ବର୍ଷା ହୋଇଛି ।