ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ବର୍ଷେ । ଏବେ ବି ପ୍ରିୟ ଅଭିନେତାଙ୍କୁ ଝୁରି ହେଉଛନ୍ତି ଦର୍ଶକ । ସେପଟେ ମୃତ୍ୟୁର କାରଣ ଉପରୁ ଏଯାଏଁ ଉଠିପାରିଲାନି ରହସ୍ୟ ।

84

କନକ ବ୍ୟୁରୋ: ୧୪ ଜୁନ୍ ୨୦୨୦, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହରାଜପୁତଙ୍କ ଅକାଳ ବିୟୋଗ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ତାଙ୍କର ସେ ଆଖିର ଚମକ, ତାଙ୍କର ସେ ହସହସ ମୁହଁ, ତାଙ୍କର ସେ ହୃଦୟ ଖୋଲା କଥା ଆଉ ଅନ୍ୟ ପ୍ରତି ଦରଦ ଏବେ ବି ପଡୁଛି ମନେ । ଚାହୁଁଚାହୁଁ ତାଙ୍କ ମୃତ୍ୟୁକୁ ପୂରଣ ହୋଇଯାଇଛି ଏକ ବର୍ଷ । ତଥାପି ରହସ୍ୟ ଘେରରେ ସୁଶାନ୍ତଙ୍କ ମୃତ୍ୟୁର କାରଣ । ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା, ସେ ନେଇ ଏବେବି ଚାଲିଛି ସନ୍ଧାନ ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଜଗତ ଓ ଡ୍ରଗ୍ସ ଲିଙ୍କ ନେଇ ଅନେକ ତଥ୍ୟ ପଦାକୁ ଆସିଥିଲା । ଏପରିକି ସୁଶାନ୍ତଙ୍କ ସେତେବେଳର ମହିଳା ବନ୍ଧୁ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଥିଲା ଏନସିବି । ଏହାସହ ବଲିଉଡର ବହୁ ନାମୀ ଦାମୀ କଳାକାରଙ୍କୁ ଅଫିସକୁ ଡାକି ପଚରାଉଚରା କରିଥିଲା ଏନସିବି । ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସୋହା ଅଲ୍ଲୀ ଖାନ ଓ ଆଉ କେତେକଙ୍କୁ ଜେରା କରିଥିଲା ଏନସିବି ।

ସୁଶାନ୍ତଙ୍କ ମୃତ୍ୟୁର ଏକ ବର୍ଷ ପୂରଣ ଅବସରରେ ତାଙ୍କ ପ୍ରଶଂସକ ମାନେ ସୋସିଆଲ ମିଡିଆ ଜରିଆରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ଶୀଘ୍ର ପର୍ଦ୍ଦା ଉଠାଇବାକୁ ସିବିଆଇ ପାଖରେ ଦାବି କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ମାନେ ହାସଟାଗ୍ ସୁଶାନ୍ତ ସିଂ ରାଜପୁତ ଚଲାଇଛନ୍ତି । ମାତ୍ର ୩୪ ବର୍ଷ ବୟସ ମଧ୍ୟରେ ଅନେକ ସଫଳତା ହାସଲ କରି ପାରିଥିଲେ ସୁଶାନ୍ତ । ଛିଛୋରେ, ଏମ୍ଏସ୍ ଧୋନି – ଦ ଅନଟୋଲ୍ଡ ଷ୍ଟୋରୀ, କାଏପୋଚେ, ସୋନଚିରୈୟା, କେଦାରନାଥ ଭଳି ସିନେମାରେ ସୁଶାନ୍ତଙ୍କ ଅଭିନୟ ଦର୍ଶକଙ୍କ ମନ ଜିତି ନେଇଥିଲା ।

ମୃତ୍ୟୁର ଏକ ବର୍ଷ ପରେ ଅଭିନେତା ସୁଶାନ୍ତ ସିଂହରାଜପୁତଙ୍କୁ ମନେ ପକାଇଛି ବଲିଉଡ୍ ଜଗତ । ଟ୍ୱିଟ୍ ଓ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୁଶାନ୍ତଙ୍କୁ ମନେ ପକାଇଛି ବଲିଉଡ୍ । ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ସୁଶାନ୍ତ ପ୍ରଥମ ପୂଣ୍ୟତିଥୀରେ ଯଜ୍ଞ କରି ତାଙ୍କୁ ମନେ ପକାଇଛନ୍ତି । ସେହିପରି ପୁଲକିତ ସମ୍ରାଟ, ରଣଦୀପ ହୁଡ୍ଡା, ରାଜକୁମାର ରାଓ ଆଦି ଅନେକ ବଲିଉଡ୍ ସେଲିବ୍ରିଟି ସୁଶାନ୍ତଙ୍କ ପ୍ରଥମ ପୂଣ୍ୟତିଥିରେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି ।