ଗଲୱାନ ସଂଘର୍ଷକୁ ପୁରଛି ବର୍ଷେ । ସ୍ୱତନ୍ତ୍ର ଭିଡିଓ ଜାରି କରି ବୀର ସହିଦଙ୍କୁ ଶ୍ରଦ୍ଧାଂଜଳି ଜଣାଇଲା ସେନା । ଗଲୱାନ ସଂଘର୍ଷରେ ସହିଦ ହୋଇଥିଲେ ୨୦ ଯବାନ

84

କନକ ବ୍ୟୁରୋ: ଗଲୱାନ ସଂଘର୍ଷକୁ ବର୍ଷେ ପୁରିଥିବା ବେଳେ ଏବେବି ସୀମାରେ ଉତେଜନା ଜାରି ରହିଛି । ପୂର୍ବ ଲଦାଖର କିଛି ଜାଗାରୁ ଉଭୟ ଚୀନ୍ ଓ ଭାରତୀୟ ସେନା ଅପସାରଣ ହୋଇଥିବା ବେଳେ ଏବେ ବି ଅନ୍ୟ କିଛି ଜାଗାରେ ସ୍ଥିତି ଉତେଜନାମୂଳକ ରହିଛି । ପାଙ୍ଗୋଙ୍ଗ ସୋ ଅଂଚଳରେ ଉଭୟ ପକ୍ଷରୁ ସେନା ଅପସାରଣ ହୋଇସାରିଛି । ହେଲେ ଗୋଗ୍ରା ଫ୍ରଂଟ ଓ ଡେସପାଙ୍ଗ ଅଂଚଳରେ ଅପସାରଣ ଆଗକୁ ବଢ଼ିପାରି ନାହିଁ । ଦୁଇ ଦେଶର ସେନା ଏବେ ବି ଏହି ସବୁ ଅଂଚଳରେ ପାଖାପାଖି ରହିଛନ୍ତି ।

ଗଲୱାନ ସଂଘର୍ଷ ପରେ ଚୀନ୍ ସହ ସୀମାରେ ଅଧିକ ସତର୍କତା ଆପଣେଇଛି ଭାରତ । ଭିତିଭୂମିକୁ ବଢ଼ାଯିବା ସହ ତିନି ସେନା ସତର୍କ ଦୃଷ୍ଟି ରଖିଛନ୍ତି । ଆର୍ମି ସହ ବାୟୁସେନାର ବିମାନ ମଧ୍ୟ ସୀମାବର୍ତୀ ଅଂଚଳରେ ମୁତୟନ ଅଛନ୍ତି । ପାଙ୍ଗୋଙ୍ଗ ସୋ ଲେକ୍ ଅଂଚଳରେ ନୌସେନାର ଉପକରଣ ମଧ୍ୟ ପ୍ରସ୍ତୁତ ରହିଛି । ସମ୍ପୂର୍ଣ୍ଣ ସେନା ଅପସାରଣ ନେଇ ଭାରତ ଓ ଚୀନ୍ ମଧ୍ୟରେ ୧୨ ରାଉଣ୍ଡ ଆଲୋଚନା ହୋଇସାରିଛି । ଏପରିକି ରୁଷରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଭେଟିଥିଲେ, ହେଲେ ଚୀନର ଅମାନିଆ ପଣ ଯୋଗୁଁ ଏହା ସମ୍ଭବ ହୋଇପାରି ନାହିଁ ।

ଗତବର୍ଷ ଜୁନ୍ ୧୫ ରାତିରେ ଲଦାଖର ଗଲୱାନ ଘାଟିରେ ଭାରତୀୟ ସେନା ଓ ପିଏଲଏ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ବିହାର ରେଜିମେଂଟର କମାଣ୍ଡିଂ ଅଫିସର ସନ୍ତୋଷ ବାବୁଙ୍କ ସହ ଅନ୍ୟ ୧୯ ବୀର ଯବାନ ସହିଦ ହୋଇଥିଲେ । ଚୀନ୍ ପକ୍ଷ ମଧ୍ୟ ବହୁ କ୍ଷତି ସହି ଥିଲା । ଯଦିଓ ଚୀନ୍ ଏହି କ୍ଷତିକୁ ଲୁଚାଇବାକୁ ଚେଷ୍ଟା କରିଥିଲା, ହେଲେ ଆମେରିକା ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ଏହି ସଂଘର୍ଷରେ ୩୦ରୁ ଅଧିକ ଚୀନ୍ ସୈନିକ ମୃତାହତ ହୋଇଥିଲେ । ଗଲୱାନ ସଂଘର୍ଷ ଭାରତ ଓ ଚୀନ୍ ସମ୍ପର୍କକୁ ତିକ୍ତ କରିଦେବାରେ ଏକ କାରଣ ପାଲଟିଛି । ଏହାସହ ଉଭୟ ଦେଶ ମଧ୍ୟରେ ଅବିଶ୍ୱାସ ବଢ଼ିଛି ।