ଜୀବନ ପାଇଁ ଯମ ଦ୍ୱାରରେ ଛଟପଟ ହେଉଛି ରକ୍ତମାଂସର ‘ଦୁର୍ଗା’ । ପୂଜା ତୋରଣଠୁ କମ୍ ଦୁର୍ଗାର ଚିକିତ୍ସା ଖର୍ଚ୍ଚ

513

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଧରାକୁ ମାଆ ଆସିବେ । ମୃଣମୟୀ ମୂର୍ତ୍ତୀରେ ଜୀବନ୍ୟାସ ଦେଇ ଦୁର୍ଗାଙ୍କୁ ସମସ୍ତେ ପୂଜିବେ । ଏଥିପାଇଁ ସବୁଠି ଚାଲିଛି ଦୁର୍ଗାଙ୍କୁ ଆବାହନ କରିବାର ପ୍ରସ୍ତୁତି । ଆଉ ଠିକ ଏତିକି ବେଳେ ସାମ୍ନାକୁ ଆସିଛି ଜୀବନ୍ତ ଦୁର୍ଗାର କାହଣୀ । ଯିଏ ଯମର ଦ୍ୱାରରେ ଛିଡା ହୋଇ ନିଜ ଜୀବନ ସହ ଯୁଝି ହେଉଛି ।

କଅଁଳ ବୟସରେ କୁଢ କୁଢ କଷ୍ଟ । ଯେଉଁ ବୟସରେ ତା ଟିକିଟିକି ପାଦରେ ଧୂଳିମାଟି ସହ ଖେଳିବା କଥା, ମୁଣ୍ଡ ହଲାଇ ସମସ୍ତଙ୍କ ମନ ଜିଣିବା କଥା । ସେହି ବୟସରେ ସେ ଯନ୍ତ୍ରଣାରେ ଛଟପଟ ହେଉଛି । ନିଜ ମୁଣ୍ଡର ଭାର ନିଜେ ବହୁଛି ଆଉ ଦିନରାତି ମାଆ କୋଳରେ ପଡି ରହୁଛି । ମୁଣ୍ଡରେ ମାଂସ ବଢୁଥିବାରୁ ଜନ୍ମ ପରଠୁ ଏମିତି କଷ୍ଟ ପାଉଛି ମୟୂରଭଞ୍ଜ ବୈଶିଙ୍ଗା ଛୁଆପଦା ଗାଁର ବର୍ଷକର କୁନି ଝିଅ ଦୁର୍ଗାରାଣୀ ଦାସ ।

ତେବେ ଝିଅର ଏପରି ଅବସ୍ଥା ଦେଖି ବାପାମାଆ ତାକୁ ପ୍ରଥମେ ବାରିପଦା, ପରେ କଟକ ବଡ ମେଡିକାଲ ସହ ଭୁବନେଶ୍ୱର ଏମ୍ସରେ ଦେଖାଇଥିଲେ । ହେଲେ କିଛି କିଛି ପରିବର୍ତ୍ତନ ନାହିଁ, ଦୁର୍ଗା ଆଗରୁ ଯେମିତି ଯନ୍ତ୍ରଣା ପାଉଥିଲା ଏବେ ବି ଠିକ୍ ସେମିତି ।

ସେପଟେ ଝିଅର ଅଧିକ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ପଡୁଥିବାରୁ ଗରିବ ବାପାମାଆ ଝିଅକୁ ଡାକ୍ତର ନଦେଖାଇ ଘରେ ପକାଇ ରଖିଲେ । ଘରେ ଯାହା କିଛି ଥିଲା ସେସବୁ ଝିଅର ଚିକିତ୍ସାରେ ସରିଯିବା ପରେ ଏବେ ନିଶ୍ୱ ଦୁର୍ଗାର ବାପା ।

ତେବେ ମାଟି ମୂର୍ତ୍ତିରେ ଜୀବନ ଦେବାକୁ କେତେ ଆୟୋଜନ, କେତେ ପ୍ରତିଯୋଗିତା । ହେଲେ ରକ୍ତମାଂସରେ ଗଢା ଏ ଦୁର୍ଗାର ଚିକିତ୍ସା ପାଇଁ ସେତିକି ପ୍ରତିଯୋଗିତା ହେବା ଆବଶ୍ୟକ ନୁହେଁ କି ? ଦେବୀ ଦୁର୍ଗାଙ୍କୁ କୋଟି କୋଟି ଟଙ୍କା ଦାନ ଦେଉଥିବା ମଣିଷମାନେ ଏ କୁନି ଦୁର୍ଗା ପାଇଁ ସହାୟତାର ହାତ ବଢାଇବେ ତ ? ମୃତ୍ୟୁର ଦୁଆରେ ଛିଡା ହୋଇଥିବା ଏ କୁନି ଦୁର୍ଗାକୁ ମାଆ ଦୁର୍ଗା ସାହା ହୁଅନ୍ତୁ ଏତିକି କାମନା ।