ଏଣିକି ଅଧିକ ତ୍ୱରାନ୍ୱୀତ ହେବ ଟିକାକରଣ ପ୍ରକ୍ରିୟା : ରାଜ୍ୟରେ ପ୍ରତିଦିନ ଏକଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଏଯାଏ ୧୦ଲକ୍ଷ ଲୋକ ନେଇସାରିଲେଣି କରୋନା ଭାକସିନ

105

କନକ ବ୍ୟୁରୋ : ରାଜ୍ୟରେ ବରିଷ୍ଠ ନାଗରିକ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରାଯିବ। ଦିନକୁ ଏକ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ଜିଲ୍ଲାୱାରି ଦୈନିକ ଟାର୍ଗେଟ୍‌ ସ୍ଥିର କରାଯାଇଛି । ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟାକୁ ବିଚାରକୁ ନେଇ ଏହି ସଂଖ୍ୟା ଧାର୍ଯ୍ୟ ହୋଇଛି। ଗଞ୍ଜାମ ଜିଲ୍ଲାରେ ଦିନକୁ ସର୍ବାଧିକ ୮,୪୧୩ ବରିଷ୍ଠ ନାଗରିକଙ୍କୁ ଟିକା ଦେବା ପାଇଁ କୁହାଯାଇଛି । ଏହି ତାଲିକାର ଦ୍ବିତୀୟରେ ଅଛି କଟକ ୬,୨୫୬ ଓ ତୃତୀୟରେ ରହିଛି ମୟୂରଭଞ୍ଜ ୬୦୦୭ । ମୋଟ୍‌ ଉପରେ ରାଜ୍ୟରେ ୪୬ ଲକ୍ଷ ୩୨ ହଜାର ୩୬୫ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପି କେ ମହାପାତ୍ର ସମସ୍ତଜିଲ୍ଲାପାଳ, ମହାନଗର ନିଗମ କମିସନର୍‌, ସିଡିଏମ୍‌ଓ ଓ ପିଏଚ୍‌ଓମାନଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଜିଲ୍ଲା ହେଲ୍‌ଥ୍‌ ଟିମ୍ ସହ ଭିଡିଓ କନ୍‌ଫରେନ୍ସିଂରେ ବରିଷ୍ଠ ନାଗରିକ ଟିକାକରଣ ପ୍ରସଙ୍ଗରେ ଶ୍ରୀ ମହାପାତ୍ର ଆଲୋଚନା କରିଥିଲେ। ଦିନକୁ ଏକ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ପାଇଁ ସେ କହିଥିଲେ। ସରକାରୀ ‌ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଟିକା ଦିଆଯିବା ସହ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ଯେପରି ଅଧିକ ଟିକା ଦେବେ, ‌ତାହା ଉପରେ ମଧ୍ୟରେ ଧ୍ୟାନ ଦେବାକୁ କୁହାଯାଇଛି।

ଅପରପକ୍ଷରେ ରାଜ୍ୟରେ ଏବେ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆସରିଲାଣି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ମୋଟ୍‌ ୪୫,୦୧୧ ଜଣ ଟିକା ନେଇଛନ୍ତି । ତାହା ମଧ୍ୟରୁ ୩୯୨ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌ ଟିକା ନେଇଥିଲା ବେଳେ ୪୧୦୧ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି । ୫୮୭ ଜଣ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରଥମ ଡୋଜ୍‌ ଓ ୧୨,୮୫୯ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ୍‌ ୧୦,୧୩,୭୭୭ ଡୋଜ୍ ଟିକା ଦିଆସରିଛି। ସେହିପରି ରାଜ୍ୟରେ ବରିଷ୍ଠ ନାଗରିକ ଟିକାକରଣ ଅଭିଯାନରେ ଆଜି ଦଶମ ଦିନରେ ୨୫,୭୬୩ ଜଣଙ୍କୁ ଟିକା ଦିଆଯାଇଛି। ଆଜି ସୁଦ୍ଧା ମୋଟ୍‌ ୨,୫୧,୧୨୮ ବରିଷ୍ଠ ନାଗରିକ ଟିକା ନେଇସାରିଲେଣି । ଏହା ବାଦ୍ ଜଟିଳ ରୋଗ ବା କୋ-ମର୍ବିଡ୍‌ ଥିବା ୪୫ ବର୍ଷରୁ ଅଧିକ ବୟସର ୧୩୦୯ ଜଣ ଆଜି ଟିକା ନେଇଛନ୍ତି ।