ଏନସିପିସିଆରର ଚାଞ୍ଚଲ୍ୟକର ତଥ୍ୟ, କରୋନା ମହାମାରୀର ଉଭୟ ଲହରରେ ଦେଶରେ ଅନାଥ ହୋଇଛନ୍ତି ୧ ଲକ୍ଷ ପିଲା

81

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଥମ ଲହର ପାର ହୋଇଛି, ଦେଶରେ ଏବେ ବି ଦ୍ୱିତୀୟ ଲହର ଚାଲିଛି ଆଉ ସାମ୍ଭାବ୍ୟ ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଛନ୍ତି । ଏହାରି ଭିତରେ ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ୍ ଚାଇଲଡ ରାଇଟସ (ଏନସିପିସିଆର) ଦେଇଥିବା ତଥ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଏନସିପିସିଆର ତରଫରୁ ସୁପ୍ରିମକୋର୍ଟରେ ଦାଖଲ କରାଇଥିବା ରିପୋର୍ଟ ମୁତାବକ କରୋନାର ଉଭୟ ଲହରରେ ଦେଶର ୧ ଲକ୍ଷ ପିଲା ସେମାନଙ୍କ ପିତା ମାତାଙ୍କୁ ହରାଇ ଅନାଥ ହୋଇଛନ୍ତି । ଅନାଥ ଶିଶୁମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ‘ବାଲ ସ୍ୱରାଜ’ ନାମକ ଏକ ଉତ୍ସଗୀଗୃତ ୱେବସାଇଟ ଚଳାଉଥିବା ଏନସିପିସିଆର ଓକିଲ ସ୍ୱରୂପ ଚର୍ତୁବେଦୀଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି । ଏହି ଆଫିଡେଭିଟରେ କୁହାଯାଇଛି କି, ଏପ୍ରିଲ ପହିଲା ୨୦୨୦ ରୁ ଅଗଷ୍ଟ ୨୩,୨୦୨୧ ମଧ୍ୟରେ କରୋନା ପାଇଁ ୧୦୧,୦୩୨ ଜଣ ପିଲା ଅନାଇ ହୋଇଯାଇଛନ୍ତି କିମ୍ବା ସେମାନଙ୍କ ମାତା ପିତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ।

ଏନସିପିସିଆର ତଥ୍ୟ ମୁତାବକ ସେମାନଙ୍କ ମଧ୍ୟରେ ୮,୧୬୧ ଜଣ ପିଲା ସମ୍ପୁର୍ଣ୍ଣ ଅନାଥ, ୩୯୬ ଜଣ ପିଲା ପରିତ୍ୟକ୍ତ ଓ ୯୨,୪୭୫ ଜଣ ପିଲା ମାତାପିତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ।
କହିରଖୁ କି ଏଭଳି ପରିସ୍ଥିତିରେ ଦେଶର ବିଭିନ୍ନ ରାଜ୍ୟ ସରକାର କରୋନାରେ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ଅନେକ ପ୍ରକାର ସହାୟତା ଘୋଷଣା କରିଛନ୍ତି । ମାଗଣା ଶିକ୍ଷା, ମାସିକ ଭତ୍ତା ସହ କିଛି ରାଜ୍ୟ ସରକାର ଏକକାଳୀନ ସହାୟତା ରାଶି ବି ଘୋଷଣା କରିଛନ୍ତି ।