କରୋନା ମୁକାବିଲା ପାଇଁ ଦେଶରେ ୬୦୧ କୋଭିଡ ହସ୍ପିଟାଲ । ଗୋଟିଏ ଦିନରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୪ ଜଣ ସୁସ୍ଥ ହୋଇଛନ୍ତି ।

687

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏଭଳି ସ୍ଥିତିରେ ସରକାରଙ୍କ ଯୁଦ୍ଧକାଳୀନ ପଦକ୍ଷେପ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି । କରୋନାର ମୁକାବିଲା ପାଇଁ ଏବେ ଦେଶରେ ୬୦୧ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଥିବା ବେଳେ ଏକ ଲକ୍ଷ ୫ ହଜାର ଶର୍ଯ୍ୟା ପ୍ରସ୍ତୁତ ହୋଇ ରହିଛି ।

ଆଜି ଦିନ ୨ଟା ସୁଦ୍ଧା ଦେଶରେ ୮୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ମୃତ୍ୟୁ ବରଣ କରିଛନ୍ତି । ଖାସକରି ଗତ ଗୋଟିଏ ଦିନ ମଧ୍ୟରେ ୯୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ସବୁଠୁ ଆଶ୍ୱସ୍ତିକର କଥା ହେଲା, ଏବେ ସୁଦ୍ଧା ୭୧୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୪ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

କରୋନା ରୋଗୀଙ୍କୁ ଅଧିକରୁ ଅଧିକ ଚିହ୍ନଟ କରିବା ପାଇଁ ନମୁନା ପରୀକ୍ଷା ଉପରେ ଜୋର ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୮୬୯୦୬ ଜଣଙ୍କର ନମୁନା ପରୀକ୍ଷା ହୋଇଛି । ଏହାଛଡା ଗତ ୫ ଦିନ ରିପୋର୍ଟ ଅନୁଯାୟୀ, ଦୈନିକ ହାରାହାରି ୧୫ ହଜାର ନମୁନା ପରୀକ୍ଷା କରାଯାଉଥିବା କହିଛି ଆଇସିଏମଆର ।