କନକ ବ୍ୟୁରୋ: ମାତ୍ର ୧ ଟଙ୍କାରେ ୧ଜିବି ଡାଟା । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାହିଁକି ନା ଶସ୍ତା ଡାଟା କଥା ଉଠିଲେ ସଭିଙ୍କ ମନରେ କେବଳ ରିଲାଏନ୍ସ ଜିଓ କଥା ହିଁ ଆସିଥାଏ । ହେଲେ ଜିଓକୁ ଟକ୍କର ଦେବା ପାଇଁ ଏବେ ବଜାରକୁ ଓହ୍ଲାଇଛି ଆଉ ଏକ କଂପାନୀ । ଯାହାର ନାଁ ରହିଛି ୱାଇ-ଫାଇ ଡବା । ଆଉ ଏହି କଂପାନୀ ବର୍ତ୍ତମାନ ମାତ୍ର ୧ ଟଙ୍କାରେ ଯୋଗାଇଦେଉଛି ୧ଜିବିର ଡାଟା । ପୂର୍ବରୁ ମଧ୍ୟ ଏହି କଂପାନୀ ୨୦ ଟଙ୍କାରେ ୧ଜିବି ଇଂଟରନେଟ ଡାଟା ଯୋଗାଇ ଚର୍ଚ୍ଚାକୁ ଆସିସାରିଛି । ତେବେ ଏହି ପ୍ଲାନରେ କଂପାନୀ ବର୍ତ୍ତମାନ କିଛି ପରିବର୍ତ୍ତନ ଆଣିଛି ।

Advertisment

publive-image

ଜିଓ ଦେଉଥିବା ଡାଟା ଅଫରକୁ ଆହୁରି କମ ମୂଲ୍ୟରେ ଯୋଗାଇଦେବାକୁ ପ୍ରୟାସ ଜାରି ରଖିଥିବା ଏହି ଷ୍ଟାଟଅପ କଂପାନୀ ଦେଉଥିବା ଅଫରର ସର୍ବନିମ୍ନ ମୂଲ୍ୟ ରହିଛି ମାତ୍ର ୧ ଟଙ୍କା । ଅର୍ଥାତ୍ ମାତ୍ର ୧ଟଙ୍କା ଦେଇ ଆପଣ ଇଂଟରନେଟ ବ୍ୟବହାର କରିପାରିବେ । ସେହିଭଳି କଂପାନୀର ୧୦ ଟଙ୍କିଆ ପ୍ଲାନରେ ୫ଜିବି ଡାଟା ମିଳୁଥିବା ବେଳେ ୨୦ ଟଙ୍କାରେ କଂପାନୀ ଦେଉଛି ୧୦ଜିବିର ଇଂଟରନେଟ ଡାଟା । ତେବେ ଏହି ଅଫରଗୁଡିକର ବୈଧତା ରହିଛି ମାତ୍ର ୨୪ ଘଂଟା । ବଡ କଥା ହେଉଛି, ୱାଇଫାଇ ଡବାର ଏହି ଅଫର ଗ୍ରାହକମାନେ ସ୍ଥାନୀୟ ଚା ଦୋକାନ ଏବଂ ଛୋଟ ଛୋଟ ଦୋକାନମାନଙ୍କରେ ପାଇପାରିବେ । କିନ୍ତୁ ବର୍ତ୍ତମାନ ଏହି ଅଫର କଂପାନୀ କେବଳ ବେଙ୍ଗାଲୁରୁରେ ହିଁ ଉପଲବ୍ଧ କରାଇଛି । ତେବେ ଏହି ଅଫରର ଲାଭ ଉଠାଇବା ପାଇଁ ହେଲେ ଗ୍ରାହକଙ୍କୁ ପ୍ରଥମେ ଭାଉଚର କିଣିବାକୁ ହେବ ଆଉ ଏହି କାର୍ଡକୁ ସ୍କ୍ରାର୍ଚ କରି ଏଥିରେ ଦିଆଯାଇଥିବା କୋର୍ଡକୁ ଡାଏଲ କରିବାକୁ ପଡିବ । ଏହାଦ୍ୱାରା କଂପାନୀର ପେଜ ଖୋଲିଯିବ ଏବଂ ଏଠାରେ ଆପଣଙ୍କୁ ଲଗ ଇନ ଆଇଡି ଓ ପାସୱାର୍ଡ ଦେଇ ଇଂଟରନେଟର ସୁବିଧା ଉଠାଇପାରିବେ । ଡାଟା ସରିବା ପରେ ଆପଣାଛାଏଁ ଏହା ଲଗଆଉଟ ହୋଇଯିବ ।

publive-image

ତେବେ ୱାଇଫାଇ ଡବା ଏକ ଇଂଟରନେଟ ପ୍ରଦାନକାରୀ ସଂସ୍ଥା । ଏହି କଂପାନୀ ଫାଇବର ଅପଟିକ୍ସ ଜରିଆରେ ଇଂଟରନେଟ ଉପଲବ୍ଧ କରାଇଥାଏ । କଂପାନୀ ତରଫରୁ ବିଭିନ୍ନ ସ୍ଥାନରେ ୱାଇଫାଇ ରାଉଟର ଲଗାଯାଇଥାଏ । ଯାହା ମାଧ୍ୟମରେ ଗ୍ରାହକଙ୍କୁ ଇଂଟରନେଟ ସେବା ଯୋଗାଇ ଦେଇଥାଏ କଂପାନୀ ।