କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟରେ ଯୁବବର୍ଗଙ୍କ ପାଇଁ ବଡ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ଇଣ୍ଟନସିପର ଅବସର ପ୍ରଦାନ କରିବାକୁ ସରକାର ଯୋଜନା ଆରମ୍ଭ କରିବେ । ଯେଉଁଥିରେ ୫ ହଜାର ଟଙ୍କାର ମାସିକ ଇଣ୍ଟନସିପ୍ ଭତ୍ତା ପ୍ରଦାନ କରାଯିବ । ଏଥିସହ ୬ ହଜାର ଟଙ୍କାର ସହାୟତା ସରକାର ପ୍ରଦାନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ କହିଛନ୍ତି ।

Advertisment

ଅନ୍ୟପଟେ ମହିଳା ଏବଂ ଯୁବତୀମାନେ ଉପକୃତ ହେଉଥିବା ଯୋଜନାଗୁଡିକ ପାଇଁ ୩ ଲକ୍ଷ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ତା ସହିତ ପୂର୍ବୋତ୍ତର କ୍ଷେତ୍ରରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ରୁ ଅଧିକ ଶାଖା ପ୍ରତିଷ୍ଠା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ବକ୍ସରରେ ଗଙ୍ଗା ନଦୀ ଉପରେ ନିର୍ମାଣ ହେବ ଦୁଇ ଲେନ୍ ବିଶିଷ୍ଟ ପୋଲ । ଏଥିପାଇଁ ମୋଟ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଅମୃତସର-କୋଲକାତା ଶିଳ୍ପ କରିଡରରେ ଆମେ ବିହାରର ଗୟାରେ ଉଦ୍ୟୋଗିକ ବିକାଶକୁ ସମର୍ଥନ ଦେବୁ । ଏହା ପୂର୍ବକ୍ଷେତ୍ରର ବିକାଶକୁ ଗତି ଦେବ । ସଡକ ସମ୍ପର୍କ ପରିଯୋଜନାରେ ପାଟନା-ପୂର୍ଣ୍ଣିଆ ଏକ୍ସପ୍ରେସ୍, ବକ୍ସର-ଭାଗଲପୁର ରାଜମାର୍ଗ ଓ ବୋଧଗୟା-ରାଜଗୀର-ବୈଶାଳୀ-ଦରଭଙ୍ଗାର ବିକାଶ ପାଇଁ ମଧ୍ୟ ଆମେ ସହଯୋଗ କରିବୁ ।

ଏଥିସହ ବଜେଟରେ ଆନ୍ଧ୍ରପ୍ରଦେଶ ପାଇଁ ବଡ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ, ଆମ ସରକାର ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ ବୁଝି, ଆମେ ବହୁପକ୍ଷୀୟ ଏଜେନ୍ସି ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରିବୁ । ଚଳିତ ଆର୍ଥିକ ବର୍ଷରେ ଓ ଭବିଷ୍ୟତରେ ଅତିରିକ୍ତ ପାଣ୍ଠି ସହିତ ୧୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।