ରାଜ୍ୟରେ ୧ କୋଟି ଟପିଲା ଟିକାକରଣ । ଚାଲିଛି ବଡ଼ ଅଭିଯାନ, ଗୋଟିଏ ଦିନରେ ୩ ଲକ୍ଷ ଟାର୍ଗେଟ୍, ଟିକାକେନ୍ଦ୍ରରେ ଲାଗିଲା ଲମ୍ବାଲାଇନ୍ ।

194

କନକ ବ୍ୟୁରୋ : ଟିକାକରଣରେ ଏକ ମାଇଲ ଖୁଂଟ ଅତିକ୍ରମ କଲା ଓଡିଶା । ୫ ମାସ ଭିତରେ ରାଜ୍ୟରେ ୧ କୋଟି ଡୋଜ ଟିକାକରଣକୁ ଅତିକ୍ରମ କରିଛି ଓଡିଶା । ଗତ ଜାନୁୟାରୀ ୧୬ ତାରିଖରେ ଆରମ୍ଭ ହୋଇଥଲା ଟିକାକରଣ । ପର୍ଯ୍ୟାୟ କ୍ରମେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୪୫ ବର୍ଷରୁ ଉଦ୍ଧ୍ୱର୍ ଓ ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକାକରଣରେ ସାମିଲ କରାଯାଇଛି । ୧ କୋଟି ଡୋଜ ମଧ୍ୟରେ ୮୧ ଲକ୍ଷ ୮୪ ହଜାର ୧୩୪ ଜଣଙ୍କୁ ଦିଆଯାଇଛି ପ୍ରଥମ ଡୋଜ, ଆଉ ୨ୟ ଡୋଜ ନେଇଛନ୍ତି ୧୮ ଲକ୍ଷ ୨୧ ହଜାର ୯୩୩ ।

ଦେଶରେ କୋଭିଡ ଟିକା ନୀତି ଲାଗୁ ହେବା ଫଳରେ କ୍ୟାମ୍ପେନ ମୋଡରେ ସାରା ଓଡିଶାରେ ଚାଲିଛି ଟିକାକରଣ । ରାଜ୍ୟରେ ପ୍ରାୟ ୧୫ ଶହରୁ ଉଦ୍ଧ୍ୱର୍ ଟିକାକରଣ କେନ୍ଦ୍ରରେ ଚାଲିଛି ଟିକାକରଣ । ରାଜ୍ୟ ସମସ୍ତ ବ୍ଲକ, ଏନଏସି, ପୌର ପରିଷଦ ଓ ମହାନଗର ନିଗମରେ ଟାର୍ଗେଟ ବେସିସିରେ ଚାଲିଥିଲା ଟିକାକରଣ । କୋରାପୁଟରୁ କଟକ, ମାଲକାନାଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ବିଭିନ୍ନ ସେସନ ସାଇଡରେ ପ୍ରବଳ ଭିଡ ସହ ଲମ୍ବା ଲାଇନ ଦେଖିବା ପାଇଁ ମିଳିଥିଲା । ଗୋଟିଏ ଦିନରେ ୩ ଲକ୍ଷ ଡୋଜ ଟିକା କରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର ।