ଟୀକାର ନିଅଣ୍ଟିଆ ସ୍ଥିତି ଭିତରେ ଆଇସିଏମଆର ମୁଖ୍ୟଙ୍କ ବଡ଼ ଦାବି । ଅଗଷ୍ଟ ପହିଲାରୁ ଗୋଟିଏ ଦିନରେ ଦେଶବାସୀଙ୍କୁ ଦିଆଯିବ କୋଟିଏ ଟୀକା । ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ହେବ ଟୀକାକରଣ ।

416

କନକ ବ୍ୟୁରୋ: ଜୁଲାଇ ଅଧାରୁ ଅବା ଅଗଷ୍ଟ ଆରମ୍ଭରୁ ଦେଶରେ ଦିନକୁ ୧ କୋଟି ଟୀକାକରଣ ହୋଇପାରିବ । ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ୍ ଏହି ସୁଚନା ଦେଇ କହିଛନ୍ତି, ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଉଭୟ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ସେମାନଙ୍କର ଉତ୍ପାଦନକୁ ବହୁ ମାତ୍ରାରେ ବଢାଛନ୍ତି ।

ତେଣୁ ଭବିଷ୍ୟତରେ ଟୀକାର ଅଭାବ ଦେଖିବାକୁ ମିଳିବ ନାହିଁ । ଏବେ ମଧ୍ୟ ଦେଶରେ ଟୀକାର ଅଭାବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗୋଟିଏ ମାସ ଭିତରେ ସମସ୍ତଙ୍କୁ ଟୀକାକରଣ କରିବାକୁ ଯଦି ଚାହିଁବେ ତେବେ ଟୀକାର ଅଭାବ କଥା ଶୁଣିବାକୁ ମିଳିବ । ହେଲେ ଆମେରିକା ତୁଳନାରେ ଆମର ଜନସଂଖ୍ୟା ୪ ଗୁଣା ଅଧିକ, ଏହାକୁ ମଧ୍ୟ ମନେ ରଖିବାକୁ ପଡିବ ।

ଜୁଲାଇ ଅଧାରୁ କିମ୍ବା ଅଗଷ୍ଟ ଆରମ୍ଭରୁ ଆମ ନିକଟରେ ଯଥେଷ୍ଟ ଟୀକା ଉପଲବ୍ଧ ରହିବ ।ସୋମବାର ସୁପ୍ରିମକୋର୍ଟରେ ଯେଉଁ ଉକ୍ତି ରଖାଯାଇଥିଲା, ତାକୁ ଦୋହରାଇଛନ୍ତି ଡାକ୍ତର ଭାର୍ଗବ । ଡିସେମ୍ବର ସୁଦ୍ଧା ସମସ୍ତଙ୍କ ଟୀକାକରଣ ସାରିବାକୁ ଟାର୍ଗେଟ ରହିଛି । ଗତ ମାସରେ କେନ୍ଦ୍ର ସରକାରଙ୍କ କୋଭିଡ ପରାମର୍ଶଦାତା କହିଥିଲେ, ୨୦୦ କୋଟି ଡୋଜ ଟୀକା ଡିସେମ୍ବର ସୁଦ୍ଧା ଉପଲବ୍ଧ ରହିବ । ଏବେ ଦେଶରେ ମାସକୁ ୮.୫ କୋଟି ଟୀକା ଉତ୍ପାଦନ ହେଉଛି ଅର୍ଥାତ୍ ଦିନକୁ ପ୍ରାୟ ୨୮.୩୩ ଲକ୍ଷ । ଜୁଲାଇ ବେଳକୁ ଉତ୍ପାଦନ ବହୁ ପରିମାଣରେ ବଢିଯିବ ବୋଲି ହିସାବ କରିଛନ୍ତି କେନ୍ଦ୍ର ସରକାର ।

ଫାଇଜର୍ ଏବଂ ଜନଶନ ଆଣ୍ଡ ଜନଶନକୁ ଖୁବଶୀଘ୍ର କେନ୍ଦ୍ର ସରକାର ଅନୁମତି ଦେବେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ମଡର୍ଣ୍ଣାର ସିଙ୍ଗଲ ଡୋଜ୍ ଟୀକାକୁ ଫାଷ୍ଟ ଟ୍ରାକରେ ଅନୁମତି ଦେବାକୁ ସିପ୍ଲା ଆବେଦନ କରିଛି । ଦେଶରେ ୧ ମେ’ରୁ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ, ଟୀକା ଅଭାବକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଛି । ଯାହା ଫଳରେ ବିଭିନ୍ନ ରାଜ୍ୟ ଏହାକୁ ନେଇ କେନ୍ଦ୍ରର ଆଭିମୁକ୍ୟ ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ ।