ସିବିଆଇ କାର୍ଯ୍ୟାଳୟ ପରେ ଏବେ ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ସୁନା ଚୋରୀ । ୧ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚୋରୀ ନେଇ ଅଭିଯୋଗ

173

କନକ ବ୍ୟୁରୋ : ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରୀ ମାମଲା ଥଣ୍ଡା ପଡିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୋଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି ।

ଜାମନଗର ଡିଭିଜନ ର ପୋଲିସ ଅଧିକାରୀ କହିଛନ୍ତି କି ଏହି ସୁନା ଭୂଜ କଷ୍ଟମ ବଭାଗର ଥିଲା । ଯାହାକି ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ପରେ ଜାମନଗର କାର୍ଯ୍ୟାଳୟରେ ରଖା ଯାଇଥିଲା । ଏବେ ଯେତେବେଳେ ଭୂଜ କଷ୍ଟମ ବିଭାଗ ସୂୁନା ନେବାକୁ ପହଂଚିଥିଲା ସେତେବେଳେ ଜଣାପଡିଥିଲା କି ୧ କୋଟି ୧୦ ଲକ୍ଷ ଟଙ୍କାର ୨.୧୫୬.୭୨୨ ଗ୍ରାମ ସୁନା କୁଆଡେ ଉଭାନ ହୋଇ ଯାଇଛି ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ ୨୦୦୧ ମସିହାରେ ହୋଇଥିବା ଭୂକମ୍ପରେ ଭୁଜ କଷ୍ଟମ ବିଭାଗର କୋଠା ଭାଙ୍ଗିପଡିବାରୁ ୩.୧୪୯.୩୯୮ ଗ୍ରାମର ଜବତ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହି ସମୟରେ ସୁନାକୁ ସୁରକ୍ଷିତ ଭାବେ ରଖିବାର ଦାୟିତ୍ୱ ଜାମନଗର କଷ୍ଟମ ବିଭାଗକୁ ଦିଆଯାଇଥିଲା । ୨୦୧୬ ମସିହରେ ଭୁଜ କଷ୍ଟମ କାର୍ଯ୍ୟାଳୟ ପୁନନିର୍ମାଣ ସରିବା ପରେ ଜାମନଗର କାର୍ଯ୍ୟାଳୟରେ ଥିବା ସୁନା ନେବାକୁ ସେମାନେ ଜାମନଗର କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରୁ ସେମାନେ ଯେଉଁ ସୁଟକେସରେ ସୁନା ଦେଇଥିଲେ ସେହି ସୁଟକେସ୍ ନେବା ବେଳେ ସୁଟକେସର ଚାବି ମାଗିଥିଲେ । ହେଲେ ସେତେବେଳେ ଜଣାପଡିଥିଲା କି ସୁଟକେସ୍ ର ଚାବି ହଜି ଯାଇଛି । ଏହା ପରେ ସୁଟକେସ୍ ର ତାଲା ଭାଙ୍ଗାଗଲା । ଏହା ପରେ ଭୂଜ କଷ୍ଟମ ବିଭାଗ ତରଫରୁ ସୁନାର ଯାଂଚ କରାଯାଇଥିଲା । ସେତେବେଳେ ଜଣାପଡିଥିଲା କି ୨.୧୫୬.୭୨୨ ସୁନା କମ୍ ରହିଛି ।

କହିରଖୁ କି ୨୦୧୨ ମସିହାରେ ସିବିଆଇର ଏକ ଟିମ୍ ଚେନ୍ନାଇ କର୍ପୋରେସନ ଲିମିଟେଡ ଦପ୍ତରରେ ଚଢାଉ କରି ୪୦୦.୫ କିଲୋଗ୍ରାମ ସୁନା ଜବତ୍ କରିଥିଲା । ଜବତ ହୋଇଥିବା ସୁନାକୁ ସିଲ୍ କରି ସିବିଆଇ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖା ଯାଇଥିଲା । ହେଲେ ଏବେ ଜଣାପଡିଛି କି ଜବତ ହୋଇଥିବା ସୁନ।।ର ୧୦୩ କେଜି ସୁନା ଗାଏବ ହୋଇଯାଇଛି ।