ରାଜ୍ୟରେ ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡ ଫେରନ୍ତା : ଛତିଶଗଡରୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୩୦ ସଂକ୍ରମିତ ହେଉଛନ୍ତି 

290

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡରୁ ଆସୁଥିବା ଲୋକ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ କହିଛନ୍ତି, ଛତିଶଗଡରୁ ଆସୁଥିବା ଜଣେ ଲେଖାଏଁ ବ୍ୟକ୍ତିଙ୍କ ଠାରୁ ୩୦ଜଣ ସଂକ୍ରମିତ ହେଉଛନ୍ତି । କରୋନାର ଡ୍ରପଲେଟ ବାୟୁମଣ୍ଡଳରେ ବୁଲୁଛି । ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି ।

ବିଶେଷ କରି କରୋନାର ଦ୍ୱିତୀୟ ଲହରରେ ଏଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । ତେଣୁ ନିହାତୀ କାମ ନଥିଲେ ଘରୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ଆଜି ଠାରୁ ଛତିଶଗଡ ସୀମାନ୍ତବର୍ତୀ ଜିଲ୍ଲାରେ ସଟଡାଉନ ଆରମ୍ଭ କରାଯାଉଛି । ଅନ୍ୟ ୨୦ଟି ଜିଲ୍ଲା ରାତି କର୍ଫ୍ୟୁ ଲଗାଯାଇଛି । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଥିବାରୁ ଦାୟିତ୍ୱବାନ ହେବାର ସମୟ ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ, ରାଜ୍ୟରେ ୧୫ଶହ ଟି ଟିକାକେନ୍ଦ୍ରରୁ ୧ହଜାର୭୩ଟି କେନ୍ଦ୍ରରେ ଟିକାକରଣ ହୋଇପାରୁନାହିଁ । ନୂଆପଡା, ଝାରସୁଗୁଡା ଓ କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ୧୦ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଥିବାରୁ ସେଠାରେ ଟିକାକରଣ ବନ୍ଦ ରହିଛି । ଏବେ ରାଜ୍ୟରେ ଯେତିକି ଟିକା ଅଛି ତାହା ଦୁଇ ରୁ ତିନି ଦିନ ଟିକାକରଣ ହୋଇପାରିବ । ରାଜ୍ୟରେ ୩ଲକ୍ଷ ୬୦ହଜାର କୋଭିସିଲ୍ଡ ଟିକା ଓ ୨ଲକ୍ଷ ୩୦ହଜାର କୋଭାକ୍ସିନ ଟିକା ଉପଲବ୍ଧ ରହିଛି ।