ଚାକିରି ନେଇଗଲା କରୋନା । ମେ’ ମାସରେ ଚାକିରି ହରାଇଛନ୍ତି ୧ କୋଟି ୫୩ ଲକ୍ଷ ଲୋକ । 

332

କନକ ବ୍ୟୁରୋ: ଭୁବନେଶ୍ୱରରର ଧୀରେନ୍ଦ୍ର ମିଶ୍ର । ୫ ପ୍ରାଣୀ କୁଟୁମ୍ବର ଜଣେ ମାତ୍ର ରୋଜଗାରିଆ ସଦସ୍ୟ । ଧୀରେନ୍ଦ୍ର ଏବେ ବେକାର । କରୋନା ମାଡ଼ରେ ଚାକିରି ଚାଲିଯାଇଛି । ପ୍ରଥମ ଲହର କରୋନାରେ ଅଧା ଧରମା କଟୁଥିଲା, ଏବେ ଚାକିରି ଚାଲି ଯାଇଛି । ଏଭଳି ସ୍ଥିତିରେ ଭଗବାନଙ୍କ କୃପାକୁ ଚାହିଁ ରହିଛନ୍ତି ଧୀରେନ୍ଦ୍ର ।

ଇଏ କେବଳ ଧୀରେନ୍ଦ୍ରଙ୍କ କାହାଣୀ ନୁହେଁ । କରୋନାର ଦ୍ୱିତୀୟ ଲହର ଯୋଗୁଁ କେବଳ ମେ’ ମାସରେ ୧ କୋଟି ୫୩ ଲକ୍ଷ ଲୋକଙ୍କ ଚାକିରି ହରାଇଛନ୍ତି । ଏପ୍ରିଲ ଓ ମେ’ ଦୁଇ ମାସରେ ପ୍ରାୟ ୨ କୋଟି ୩୦ ଲକ୍ଷ ଚାକିରି କିମ୍ବା ରୋଜଗାର ହରାଇଛନ୍ତି । ବେକାର ହୋଇ ଚାକିରି ଖୋଜୁଥିବା ଲୋକଙ୍କ ସଂଖ୍ୟା ୧ କୋଟି ୭୦ ଲକ୍ଷରୁ ୫କୋଟିରେ ପହଂଚିଯାଇଛି । ଆଉ ଏହାରି ଭିତରେ ଦେଶର ୯୭ ପ୍ରତିଶତ ପରିବାରର ଆୟ କମିଛି । ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନମିର ଏହି ତଥ୍ୟ ହିଁ ବୟାନ କରୁଛି କରୋନାର ଦ୍ୱିତୀୟ ଲହର କେମିତି ଲୋକଙ୍କୁ ଅଂଟା ଭାଙ୍ଗି ଦେଇଛି ।

ସଂକ୍ରମଣ ବଢ଼ିବା ଆଶଙ୍କାରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ନିଷ୍ପତି ଭିତରେ ଛୋଟ-ବଡ଼ ଅନେକ ସଂସ୍ଥା ବନ୍ଦ ହୋଇଗଲା । ଏମିତି କି ରାସ୍ତାକଡ଼ରେ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ଦେକାନୀଙ୍କ କାରବାର ଠପ୍ ହୋଇଗଲା । ଆଉ ଏହାରି ଭିତରେ କୋଟି କୋଟି ଲୋକ ରୋଜଗାର ହରାଇଲେ ।

ନିର୍ମାଣ ଶିଳ୍ପ, ପର୍ଯ୍ୟଟକ ଶିଳ୍ପ, ହୋଟେଲ ଶିଳ୍ପ ଭଳି ଅନେକ କ୍ଷେତ୍ରରେ କାମ କରୁଥିବା ଲକ୍ଷାଧିକ ଲୋକ ଚାକିରି ହରାଇଛନ୍ତି । ଆଇଟି ଭଳି ହାତ ଗଣତି କିଛି ସେକ୍ଟରକୁ ଛାଡ଼ି ଦେଲେ ଅନେକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସଂକୁଚିତ ହୋଇଛି ।