ରାଜ୍ୟକୁ ଆସିବ ଦେଢ଼ ଲକ୍ଷ କୋଟିର ନିବେଶ । ପାଞ୍ଚଟି ପ୍ରକଳ୍ପର ସମ୍ପ୍ରସାରଣ ନେଇ ଅନୁମତି ଦେଲେ ସରକାର । ମୁଖ୍ୟମନ୍ତ୍ରୀ କହିଲେ ୨୭ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି ।

1,168

କନକ ବ୍ୟୁରୋ: ରାଜ୍ୟରେ ଦେଢଲକ୍ଷ କୋଟିର ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ରାଜ୍ୟରେ ପାଖାପାଖି ୨୭ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରଟି ଏହି ୫ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏଥିମଧ୍ୟରେ ରହିଛି ସମ୍ବଲପୁର ରେଙ୍ଗାଲିରେ ଭୂଷଣ ପାୱାର ଓ ଷ୍ଟିଲ ପ୍ଲାଂଟର ସଂପ୍ରସାରଣ । ଏଥିପାଇଁ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ ୧୦ ହଜାର ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ । ସେହିଭଳି ଟାଟାଷ୍ଟିଲ ଲିମିଟେଡ କ୍ରୁଡ ଷ୍ଟିଲ ପ୍ରକଳ୍ପର ବି ସଂପ୍ରସାରଣ ହେବ । ଯାଜପୁର କଳିଙ୍ଗନଗରରେ ୪୭ ହଜାର ୫୯୯ କୋଟି ଟଙ୍କା ଖର୍ଚ୍ଚରେ ଏହା ସଂପ୍ରସାରିତ ହେବ । ଏଥିରେ ୪୬୨୫ ଜଣଙ୍କୁ ନିଯୁକ୍ତି ମିଳିବ । ତୃତୀୟ ବଡ ପ୍ରକଳ୍ପ ହେଲା ଜିନ୍ଦଲ ଷ୍ଟିଲ ଓ ପାୱାର ପ୍ଲାଂଟର ସଂପ୍ରସାରଣ । ଅନୁଗୁଳରେ ସଂପ୍ରସାରିତ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି ଖର୍ଚ ହେବ ୨୪ ହଜାର ୬୫୨ କୋଟି ଟଙ୍କା ଓ ହଜାରେ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ । ଏହାକୁ ମିଶାଇ ରାଜ୍ୟରେ ଜିନ୍ଦଲର ମୋଟ ନିବେଶ ୧ ଲକ୍ଷ ୬୭୦ କୋଟି ହେବ, ଯାହା ବିଶ୍ୱର ଗୋଟିଏ ସ୍ଥାନରେ ସବୁଠାରୁ ଅଧିକ ନିବେଶ ।

ସେହିଭଳି ଚତୁର୍ଥ ବଡ ପ୍ରକଳ୍ପ ହେଲା ରୁଙ୍ଗଟାର ସମନ୍ୱିତ ଷ୍ଟିଲ ପ୍ଲାଂଟର ସଂପ୍ରାସରଣ । ଏଥିପାଇଁ ଖର୍ଚ୍ଚ ହେବ ଏଗାର ହଜାର କୋଟି ଟଙ୍କା । ଢେଙ୍କାନାଳର ଝାରବନ୍ଧରେ ଏହା ସଂପ୍ରାସାରିତ ହେବ ଏବଂ ୬ ହଜାର ୨ ଶହ ଲୋକ ନୂଆ ନିଯୁକ୍ତି ପାଇବେ । ସେହିଭଳି ପଞ୍ଚମ ବଡ ପ୍ରକଳ୍ପ ହେଲା ରୁଙ୍ଗଟା ମାଇନସ ଲିମିଟେଡର ସଂପ୍ରସାରଣ । ଏଥିପାଇଁ ଖର୍ଚ ହେବ ୭ ହଜାର ୯୨୦ କୋଟି ଓ ୫ ହଜାର ୧୩୪ ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ । କେନ୍ଦୁଝରର କରଖେନ୍ଦ୍ରରେ ଏହା ପ୍ରତିଷ୍ଠା ହେବ ।

ଏହି ସବୁ ପ୍ରକଳ୍ପକୁ ଅନୁମତି ମିଳିବା ପରେ ରାଜ୍ୟରେ ଇସ୍ପାତ ଶିଳ୍ପର ସବୁଠାରୁ ବଡ ଦିଗ ସାମ୍ନାକୁ ଆସିଛି । ୨୦୩୦ ସୁଦ୍ଧା ରାଜ୍ୟରେ ୧୦୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ ଦିଗରୁ ଆଗେଇଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ୨ ହଜାର ମସିହା ବେଳକୁ ରାଜ୍ୟରେ ୨ ମିଲିୟନ ଟନ ଉତ୍ପାଦନ ବେଳେ ୨୦୨୦ ବେଳକୁ ଏହାର ପରିମାଣ ୨୦ ମିଲିୟନ ଟନକୁ ବୃଦ୍ଧି ପାଇଥିଲା । ଏବେ ୧୦୦ ମିଲିୟନ ଟନ ଟାର୍ଗେଟକୁ ଛୁଇଁବାକୁ ବସିଲେଣି ରାଜ୍ୟ ସରକାର ।