ଓଡ଼ିଶା ମିଲେଟ୍ସ ମିଶନ ଯୋଗୁଁ ସ୍ୱାବଲମ୍ବୀ ହେଉଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ: ୧୪ଟି ‘ମିଲେଟ୍ ଶକ୍ତି ବିକ୍ରୟ କେନ୍ଦ୍ର’ରୁ ଅଢେଇ କୋଟିର ବ୍ୟବସାୟ
କନକ ବ୍ୟୁରୋ: ୫୦ଟଙ୍କା ଜମାରାଶିରୁ ଆରମ୍ଭ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଆଜି ମାସକୁ ୪ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ଦିନ ଥିଲା ସେମାନେ ବଡ଼ି, ପାମ୍ପଡ଼, ଆରିଷା ଆଦି ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବ୍ୟାଗ୍ରେ ଧରି ଘର ଘର ବୁଲି ବିକ୍ରି କରୁଥିଲେ । ଅଧିକାଂଶ ସମୟରେ ତାହା ବିଶ୍ୱାସଯୋଗ୍ୟ ମଧ୍ୟ ହୋଇପାରୁନଥିଲା । ମାତ୍ର ଏବେ ସେମାନେ ବିଶ୍ୱଦରବାରରେ ପହଂଚିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆର୍ଥିକସ୍ତରରେ ଅନଗ୍ରସର ଥିବା ମହିଳାମାନେ ଏବେ ପ୍ୟାରିସ୍, ଦୁବାଇ ଭଳି ଅନେକ ସହରରେ ଓଡ଼ିଶା ମିଲେଟ୍ସ ମିଶନ ସହାୟତାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ସହ ପ୍ରଶଂସା ସାଉଁଟିପାରିଛନ୍ତି । ଘରର ଚାରିକୋଣରୁ ବାହାରି ଏବେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି । ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀ ‘ସିଆଲ୍-୨୦୨୨’ରେ ଅଂଶଗ୍ରହଣ କରିବା ସହ ପୁଷ୍ଟିଶସ୍ୟର ପ୍ରଚାରପ୍ରସାର ପାଇଁ କାର୍ୟ୍ୟ କରୁଥିବାରୁ ନ୍ୟୁଟ୍ରିହବ୍ ଓ ଆଇସିଏଆର୍ ଆଇ ଆଇଏମ୍ଆର୍ ପକ୍ଷରୁ ହାଇଦ୍ରାବାଦରେ ଆୟୋଜିତ ‘ପୋଷକ ଅନାଜ ପୁରସ୍କାର୨୦୨୨’ ରେ ପୁରସ୍କୃତ ହୋଇଥିଲେ । ଭୁବନେଶ୍ବର ରେଣ୍ଟାଲ କଲୋନୀର ଶକ୍ତିମୟୀ ମହିଳା ମହାସଂଘର ଏହି ମା’ମାନେ ଓଡ଼ିଶା ମିଲେଟ୍ସ ମିଶନ ଓ ମିଶନ ଶକ୍ତି ଜରିଆରେ କୃଷି ଭବନ ପରିସରରେ ପ୍ରଥମ ମିଲେଟ୍ ଆଉଟଲେଟ୍ ରେ ପୁଷ୍ଟିଶସ୍ୟରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ସମ୍ପାଦିକା ପଦ୍ମାଳୟା ମହାନ୍ତି କହିଛନ୍ତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ପୁଷ୍ଟିଶସ୍ୟର ପୁନରୁଦ୍ଧାର ସାଙ୍ଗକୁ ଏହାକୁ ଖାଦ୍ୟ ଥାଳିରେ ସାମିଲ କରିବା ପାଇଁ ୨୦୧୭ ମସିହାରୁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନ ରେ ଆରମ୍ଭ ହୋଇଥିବା ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିରେ ମିଶନ ଶକ୍ତିକୁ ସଂଯୋଗ କରାଯାଇ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଦିଗରେ ମିଲେଟ୍ ଶକ୍ତି ଆଉଟଲେଟ୍ ଓ ମିଲେଟ୍ ଶକ୍ତି କାଫେର ଦାୟିତ୍ୱ ଦିଆଯାଇଛି । ମେ’ ମାସ ସୁଦ୍ଧା ରାଜ୍ୟରେ ପୁରୀ, କଟକ, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡା, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ୧୪ଟି ସ୍ଥାନରେ ୭ଟି ମିଲେଟ୍ ଶକ୍ତି କାଫେ ଓ ୬ଟି ମିଲେଟ୍ ଶକ୍ତି ବିକ୍ରୟକେନ୍ଦ୍ରରେ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇପାରିଛି । ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୨ଟି ମିଲେଟ୍ ଶକ୍ତି କାଫେ ମଧ୍ୟରୁ ଗୋଟିଏ କାଫେରୁ ଗୋଟିଏ ମାସରେ ସର୍ବାଧିକ ୧୧ ଲକ୍ଷ ରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କାଫେ ଓ ଆଉଟ୍ଲେଟ୍ ସ୍ଥାପନ କରିବା ସହ ବିଭିନ୍ନ ସାମଗ୍ରୀ ପାଇଁ ସହାୟତା ଯୋଗାଇ ଦିଆଯାଉଛି । ମହିଳାମାନେ ଏବେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଏହି ମିଲେଟ୍ ଶକ୍ତି ଆଉଟଲେଟରେ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟସାମଗ୍ରୀ ବିକ୍ରି କରିବା ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଏଥିପାଇଁ ମହିଳାମାନଙ୍କୁ ଭୁବନେଶ୍ବର ସ୍ଥିତ ଇଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ୍ ଓ ମହୀଶୂର ସ୍ଥିତ ସେଣ୍ଟ୍ରାଲ ଫୁଡ଼୍ ଟେକ୍ନୋଲୋଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ ପୁଷ୍ଟିଶସ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, କାଫେ ଓ ଆଉଟଲେଟ ପରିଚାଳନାର ପ୍ରଶିକ୍ଷଣ ଦିଆଯାଉଛି । ଏହାସହିତ ଖାଦ୍ୟ ତାଲିକାରେ ଶୁଖିଲା ଓ ରନ୍ଧା ଖାଦ୍ୟଭାବେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ସାମିଲ କରାଯାଇଛି । ଏହି ପୁଷ୍ଟିଶସ୍ୟ ଖାଦ୍ୟ ସାମଗ୍ରୀକୁ ପରଷି ସେମାନେ ଏବେ ଦେଶ ବିଦେଶରେ ପ୍ରଶଂସା ସାଉଁଟିବା ସହ ପୁରସ୍କାର ମଧ୍ୟ ହାସଲ କରିପାରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ‘ମିଲେଟ୍ ଶକ୍ତି କାଫେ’ କରାଯାଇ ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରାଯିବା ନେଇ ଯୋଜନା କରାଯାଇଛି ।
ଏସମ୍ପର୍କରେ କଳିଙ୍ଗଷ୍ଟାଡିୟମଠାରେ ବିଶ୍ୱକପ୍ ହକି ସମୟରେ ଖୋଲାଯାଇଥିବା ‘ମିଲେଟ୍ ଶକ୍ତି ଆଉଟଲେଟ୍’ର ଦାୟିତ୍ୱରେ ଥିବା ସ୍ୱୟଂଶ୍ରଦ୍ଧା ଆଞ୍ଚଳିକ ପରିଷଦର ସମ୍ପାଦିକା ମିନତୀ ସାବତ୍ କହିଛନ୍ତି, ‘ବର୍ଷ ବର୍ଷର ସଂଘର୍ଷ ପରେ ଆମ ସଦସ୍ୟାମାନେ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଏବେ ସଫଳତା ପଥରେ ଆଗେଇ ଚାଲିଛନ୍ତି । ବିଶ୍ୱକପ୍ ହକି ସମୟରେ କଳିଙ୍ଗ ଷ୍ଟାଡିୟମ୍ରେ ମିଲେଟ୍ ଆଉଟଲେଟର ଦାୟିତ୍ୱ ତୁଲାଇ ବହୁ ପ୍ରଶଂସା ସାଉଁଟିବା ସହ ଲୋକାଦୃତ ପାଇପାରିଛୁ । କେବଳ ୧୭ଦିନରେ ଆମେ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟ ପରଷି ସାଢେ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରିଥିଲୁ । ଏହାସହ କଳିଙ୍ଗ ଷ୍ଟାଡିୟମ୍କୁ ଆସୁଥିବା ବିଦେଶୀ ଖେଳାଳୀ ଓ ପର୍ୟ୍ୟଟକମାନଙ୍କ ଦ୍ଵାରା ଆଦୃତି ଖୁବ୍ କମ୍ ଦିନରେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିପାରିଛୁ।‘
ସେହିପରି ସୁନ୍ଦରଗଡ଼ର ଦିବ୍ୟଜ୍ୟୋତି ମହିଳା ମହାସଂଘର ପ୍ରେମା ଦାସ କୁହନ୍ତି, “ ୨୦୧୯ ମସିହାରୁ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ସହାୟତା ପାଇବାପରେ ଏବେ ବର୍ଷକୁ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛୁ । ଗୋଆ, ମୁମ୍ବାଇ, କୋଲକାତା, ପ୍ୟାରିସ୍ ଭଳି ସହରରେ ଆମ ଦ୍ୱାରା ପ୍ରସ୍ତୁତ ପୁଷ୍ଟିଶସ୍ୟ ପହଞ୍ଚାଇପାରୁଛୁ । ଛତିଶଗଡ଼, ଝାଡଖଣ୍ଡ ଆଦି ରାଜ୍ୟରୁ ସଦସ୍ୟମାନେ ଆସି ଆମଠାରୁ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଣାଳୀର ପ୍ରଶିକ୍ଷଶ ନେଉଛନ୍ତି । ପ୍ୟାରିସ୍ରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀ ‘ସିଆଲ୍-୨୦୨୨’ରେ, ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲୁ । ଏହା ସହ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲୁ । ଯାହାକି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ଦ୍ୱାରା ସମ୍ଭବ ହୋଇପାରିଛି । ଲୋକଙ୍କ ପାଖରେ ଦେଶୀ ଓ ପାରମ୍ପରିକ ଖାଦ୍ୟ ସାମଗ୍ରୀ ପହଂଚାଇବା ପାଇଁ ପ୍ରୟାସ ଜାରି ରଖିଛୁ ।