ଆସିଲା ସୁନ୍ଦରଗଡର ୩ ନୂଆ ଆକ୍ରାନ୍ତଙ୍କ ତଥ୍ୟ: ଚିହ୍ନଟଙ୍କ ମଧ୍ୟରେ ୨ ପୁରୁଷ ଓ ଜଣେ ମହିଳା; ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୨ ନୂଆ ଆକ୍ରାନ୍ତ

ଦୁଇ ପୁରୁଷଙ୍କ ବୟସ ଯଥାକ୍ରମେ ୨୩ ଓ ୬୦ ବର୍ଷ: ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ୫୭ ବର୍ଷୀୟ ମହିଳା

1,787

କନକ ବ୍ୟୁରୋ: ଆସିଲା ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ତଥ୍ୟ । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୨ ପୁରୁଷ ରହିଥିବା ବେଳେ ଜଣେ ମହିଳା ଅଛନ୍ତି । ସେହିଭଳି ଏମାନଙ୍କ ବୟସ ୨୩ରୁ ୬୦ ବର୍ଷ ମଧ୍ୟରେ ରହିଛି । ତେବେ ଦୁଇ ପୁରୁଷଙ୍କ ବୟସ ଯଥାକ୍ରମେ ୨୩ ଓ ୬୦ ବର୍ଷ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୭ ବର୍ଷୀୟ ମହିଳା ଅଛନ୍ତି । ଅନ୍ୟପଟେ ଆଜି ଚିହ୍ନଟ ହୋଇଥିବା ୩ ନୂଆ ପଜିଟିଭଙ୍କ ମଧ୍ୟରୁ ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି ହୋଇଥିବା ତଥ୍ୟରେ ଜଣାପଡିଛି । ତେବେ ଏମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ବର୍ତ୍ତମାନ ଛାନଭିନ୍ ଜାରି ରହିଛି ।

ନୂଆ ୩  ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଏହି ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏହି ଏହି ୩ ଆକ୍ରାନ୍ତଙ୍କ ଗସ୍ତ ଇତିହାସ ନେଇ ଅଧିନ୍ତ ତଥ୍ୟକୁ ଅପେକ୍ଷା ରହିଛି । ସେପଟେ ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ସୁନ୍ଦରଗଡ ବିଶ୍ରା ଅଂଚଳରୁ ବୋଲି କନକନ୍ୟୁଜକୁ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ସିଡିଏମଓ ସରୋଜ ମିଶ୍ର । ଅନ୍ୟପଟେ, ରାଜ୍ୟରେ କୋଭିଡ୍ ୧୯ ଭୂତାଣୁ ମୁକାବିଲା ନେଇ ମୋଟ୍ ନମୂନା ପରୀକ୍ଷା ସଂଖ୍ୟା ୨୨ ହଜାର ୮୧୬କୁ ବୃଦ୍ଧି ହୋଇଛି । ଗତକାଲି ଗୋଟିଏ ଦିନରେ ୨୨୧୭ଟି ନମୂନା ପରୀକ୍ଷା ହୋଇଥିବା ଜଣାପଡିଛି । ଏହା ସହ ୪୯୭୫ ଟି ରାପିଡ୍ ଟେଷ୍ଟ ହୋଇଛି । ମୋଟ୍ ୨୨ ହଜାର ୮୧୬ ନମୂନାରୁ ୧୦୩ଟି ପଜିଟିଭ୍ ଆସିଛି । ଯାହା ମଧ୍ୟରୁ ୬୮ଟି ଆକ୍ଟିଭ୍ କେସ୍ ରହିଛି । ୩୪ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଫେରିଛନ୍ତି ।

ଏବେ ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତ ସଂଖ୍ୟା

ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୩ ଛୁଇଁଛି । ଏହା ମଧ୍ୟରୁ ୬୮ଟି ଆକ୍ଟିଭ୍ କେସ୍ ରହିଛି । ସବୁଠାରୁ ଅଧିକ ୪୬ ଆକ୍ରାନ୍ତ ରହିଛନ୍ତି ଖୋର୍ଧା ଜିଲ୍ଲାରେ । ଯାଜପୁରରେ ୧୮, ଭଦ୍ରକ ୧୬, ସୁନ୍ଦରଗଡରେ ୬ , କେନ୍ଦ୍ରାପଡା ୨, କଳାହାଣ୍ଡି ୨, ଢେଙ୍କାନାଳ, ପୁରୀ, କଟକରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ୧୦ଟି କରୋନା ଆକ୍ରାନ୍ତ ଜିଲ୍ଲା ମଧ୍ୟରୁ ୪ ଟି ଜିଲ୍ଲା ବର୍ତମାନ କରୋନା ମୁକ୍ତ ହୋଇଛି । କଳାହାଣ୍ଡି, କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ସମସ୍ତ ରୋଗୀ ସୁସ୍ଥ ହୋଇଛନ୍ତି ।