କନକବ୍ୟୁରୋ:ଏ ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୋରାପୁଟ କୃଷକ କଲ୍ୟାଣ ମଂଚ, ଲେଖିଥିବା ଚିଠି । ଖରିଫ ଋତୁ ପାଇଁ ସରକାର ଘୋଷଣା କରିଥିବା ଧାନର ୩୧୦୦ ଟଙ୍କା ଏମଏସପି ରବି ଋତୁରେ ବି ପ୍ରଦାନ କରିବାକୁ ଅନୁରୋଧ କରିଛି ମଂଚ । ନିକଟରେ କେନ୍ଦ୍ର ସରକାର ଖରିଫ ଋତୁ ପାଇଁ ଧାନର ଏମଏସପି ୨୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ୩୧୦୦ ଟଙ୍କା ଦେବାକୁ ଘୋଷଣା କରିଥିବାରୁ ଅତିରିକ୍ତ ୮୦୦ ଟଙ୍କା ବୋନସ ଆକାରରେ ପ୍ରଦାନ କରିବେ ।

Advertisment

ତେଣୁ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଅଧିକ ଦରରେ ଧାନ ବିକିବାକୁ ଚାହିଁ ବସିଥିବା ଚାଷୀଙ୍କୁ ଅତିରିକ୍ତ ବୋନସ ସହ ଏବେଠାରୁ ୩୧୦୦ ଟଙ୍କାରେ ଧାନ କିଣିବାକୁ ଅନୁରୋଧ ଜଣାଇଛନ୍ତି ଚାଷୀକୂଳ । ଚିଠିରେ ଦିଆଯାଇଥିବା ଆଉଏକ ତଥ୍ୟ ଉପରେ ନଜର ପକାନ୍ତୁ । ଚଳିତ ରବି ଋତୁରେ ସରକାରୀ ମଣ୍ଡିରେ ଧାନ ବିକିବାକୁ କୋରାପୁଟ ଜିଲ୍ଲାରେ ପଞ୍ଜିକରଣ କରିଛନ୍ତି ୧୫ ହଜାର ୯୧୯ ଜଣ ଚାଷୀ । ହେଲେ ଆଜିଯାଏ ମାତ୍ର ୧୨୦୦ ଜଣ ଚାଷୀ ମଣ୍ଡିରେ ଧାନ ବିକିଛନ୍ତି ।

ଅନ୍ୟ ପକ୍ଷରେ ରବି ଋତୁରେ ଧାନ ବିକ୍ରି କରିବାକୁ ଜୁନ୍ ୩୦ ଯାଏଁ ଡେଡ୍ଲାଇନ ରହିଛି । ତେଣୁ ବଳକା ଥିବା ଚାଷୀଙ୍କ ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯାଇଛି । ଚଳିତ ରବି ଋତୁରେ ହିଁ ଅତିରିକ୍ତ ବୋନସ ସହ ୩୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ । ଫଳରେ ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ । କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି କୃଷକ କଲ୍ୟାଣ ମଂଚ । ମଣ୍ଡିକୁ କ୍ରୟକାରୀ ସଂସ୍ଥା, ପ୍ରଶାସନ ଓ ମିଲର ଠିକ ଭାବେ ଆସୁ ନାହାନ୍ତି । ଯେଉଁଠି ଆସୁଛନ୍ତି କ୍ୱିଂଟାଲ ପିଛା ୫ରୁ ୭ କେଜି ଅଧିକ ଧାନ ମାଗୁଛନ୍ତି । ନିକଟରେ ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ମଣ୍ଡିରେ ଚାଷୀଙ୍କୁ ହଇରାଣ କଲେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବେ । ତେଣୁ କୋରାପୁଟ କୃଷକ ମଂଚର ଏହି ଅଭିଯୋଗ ପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଦେଖିବାର କଥା ।