ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘନେଇଲା ବାତ୍ୟା ଆଶଙ୍କା । ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର ଆକଳନ ।

220

କନକବ୍ୟୁରୋ : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ମଡେଲର ଆକଳନ ଅନୁସାରେ ଅବପାତ ପରେ ଆହୁରି ଘନିଭୂତ ହେବା ଆଶଙ୍କା ରହିଥିବା ବେଳେ ଏହା ବାତ୍ୟାର ରୂପ ନେବ କି ନାହିଁ, ଏ ନେଇ ସ୍ପଷ୍ଟ କରିନାହିଁ ପାଣିପାଗ ବିଭାଗ । ତେବେ ପ୍ରାକ୍ ମୌସୁମୀ ସମୟରେ ବାତ୍ୟା ସମ୍ଭାବନା ଅଧିକ ଥାଏ । ସବୁଠୁ ବଡ଼ କଥା ହେଉଛି, ଏବେ ସମୁଦ୍ର ଭିତର ତାପମାତ୍ରା ମଧ୍ୟ ବାତ୍ୟା ପାଇଁ ଅନୁକୂଳ ରହିଛି ।

ଯଦି ଏପରି କିଛି ହୁଏ, ତାହା ୨୫ ତାରିଖରେ ହେବାକୁ ଥିବା ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ଏହାର ପ୍ରଭାବ ପଡିପାରେ । ଏପଟେ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଆସନ୍ତା ୪-୫ ଦିନ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାରେ ଉଷ୍ମ-ଆର୍ଦ୍ର ପାଣିପାଗ ଯୋଗୁଁ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି । ଆଣ୍ଡାମାନ ଉପକୂଳ ଆଡକୁ ଏହା ଧୀରେ ଧୀରେ ଅଗ୍ରସର ହେବା ନେଇ ପୂବାନୁମାନ କରିଛି ପାଣିପାଗ ବିଭାଗ ।