ଛେଳି ଜଗୁଛନ୍ତି ସମିତ ସଭ୍ୟା । ଅନ୍ୟକୁ ସାହାଯ୍ୟ କରୁଥିବା ବେଳେ ନିଜ ପାଇଁ ନାହିଁ ଭଙ୍ଗାରୁଜା ଆଜବେଷ୍ଟସ ଘରେ ବିତୁଛି ଜୀବନ ।

67

କନକବ୍ୟୁରୋ: ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଆସିଥିଲେ ରାଜନୀତିକୁ । ହେଲେ ନିଜେ ସମସ୍ୟା ଘେରରେ ଦୁର୍ବିସହ ଜୀବନ ଜୀଉଁଛନ୍ତି । ଗାଁ ପାଖ ଜଙ୍ଗଲରେ ଗାଇ ଛେଳି ଚରାଇ ପରିବାର ପ୍ରତିପୋଷଣ କରୁଛନ୍ତି । କାକଟପୁର ବ୍ଳକର ଓଥକା ଗ୍ରାମପଂଚାୟତ ସମିତିସଭ୍ୟା ମିନର୍ଭା ମହାରଣା । ୨୦୨୨ ପଂଚାୟତ ନିର୍ବାଚନରେ ସମିତି ସଭ୍ୟା ଭାବେ ନିର୍ବାଚନ ଲଢି ସମିତିସଭ୍ୟା ଭାବେ ବିଜୟୀ ହୋଇଥିଲେ । ଏବେ ଓଥକା ପଂଚାୟତର ସମିତିସଭ୍ୟା ଭାବେ କାକଟପୁର ପଂଚାୟତ ସମିତିର ଲୋକପ୍ରତିନିଧି ଭାବେ କାମ କରୁଛନ୍ତି ।

ମୀନର୍ଭାଙ୍କ ପରିବାର କହିଲେ ସ୍ୱାମୀ ଓ ଦୁଇ ପୁଅ । ମୀନର୍ଭାଙ୍କ ସ୍ୱାମୀ ଦୁଇ ଗୋଡ ହରାଇବା ପରେ ପରିବାର ବୋଝ ମୀନର୍ଭାଙ୍କ ଉପରେ । ଅଭାବ ଅନଟନ ଭିତରେ ରହୁଥିବା ବେଳେ ପରିବାର ଚଳାଇବାକୁ ଅଂଟା ଭିଡି ବାହାରିଥିଲେ । ଅଭାବ ଭିତରେ ଗାଈ ପାଳନ କରିବା ସହିତ ଛେଳି ଚରାଉଛନ୍ତି ସମିତିସଭ୍ୟା । ଗୁଜୁରାଣ ମେଂଟାଇବାକୁ ସମିତି ସଭ୍ୟା ଜଣକ ଏବେ ବି ଛେଳି ଚରାଉଛନ୍ତି । ଦିନ ଥିଲା ଲୋକଙ୍କ ଘରଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ସମାଧାନ କରୁଥିଲେ । ଲୋକଙ୍କ ଦୁଃଖ ପଚାରି ବୁଝୁଥିଲେ । ହେଲେ ଲୋକଙ୍କ ଦୁଃଖ ସମସ୍ୟା ବୁଝୁଥିବା ମଣିଷଟା ନିଜେ ସମସ୍ୟା ଭିତରେ ବଂଚୁଛି ।

ଭଲ ଘର ଖଣ୍ଡିିଏ ନଥିବା ବେଳେ ଭଙ୍ଗା ଘର ସଜାଡିବାକୁ ବି ସମ୍ବଳ ନାହିଁ । ନିଜ ଅସହାୟ କଥା ସବୁଠି ଜଣାଇଛନ୍ତି । ହେଲେ ତାଙ୍କ ଦୁଖ କେହିଶୁଣିନାହାନ୍ତି । ଆଉ ଏବେ ମୀନର୍ଭା ନିଜ ଦୁଖ ସମସ୍ୟା କାହାକୁ ନଜଣାଇ ନିଜ କାମରେ ବ୍ୟସ୍ତ ରହିଛନ୍ତି । ଅନ୍ୟ ପାଇଁ ସ୍ୱର ଉଠାଉଥିବା ଲୋକପ୍ରତିନିଧି ଜଣକ ଏବେ ନୀରବ ପାଲଟିଛନ୍ତି । ସେପଟେ ମୀନର୍ଭାଙ୍କ ବିଷୟରେ ଜାଣିବା ପରେ ସମସ୍ୟାର ସମାଧାନ କରିବାକୁ ମିଳିଛି ପ୍ରତିଶ୍ରୁତି । ସମସ୍ୟା ଭିତରେ ରହିଥିବା ସମିତି ସଭ୍ୟାଙ୍କ ପ୍ରତି ଗୁରୁତ୍ୱ ଦିଆଯାଇ ସାହାଯ୍ୟ କରାଯିବା ଜରୁରୀ ହୋଇପଡିଛି ।