କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନର ଉଦ୍ଘାଟନୀ ଦିବସରେ ସଂସଦର ଉଭୟ ଗୃହରେ ଉଦ୍ବୋଧନ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଏହି ଅବସରରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ଘୋଡ଼ାଗାଡ଼ିରେ ଆସି ସଂସଦ ପରିସରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ରାଷ୍ଟ୍ରପତିଙ୍କର ଏହି ଘୋଡ଼ାଗାଡ଼ିଟିକୁ ଦେଶ ସ୍ୱାଧୀନ ହେବା ସମୟରେ ବ୍ରିଟିସ୍-ଇଣ୍ଡିଆର ଭାଇସ୍ରୟ ଭାରତକୁ ପ୍ରଦାନ କରିଥିଲେ। ୧୯୮୪ ଠାରୁ ଏହା ପ୍ରାୟ ବ୍ୟବହୃତ ହେଉ ନ ଥିଲା। ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେବା ପରେ ଏହି ଘୋଡ଼ାଗାଡ଼ିର ବ୍ୟବହାର ଆରମ୍ଭ କରିଥିଲେ। ସୁନା କଲେଇ କରାଯାଇଥିବା ଏହି ଘୋଡ଼ାଗାଡ଼ିଟିକୁ ପୂର୍ବରୁ ରାଷ୍ଟ୍ରପତି ଉତ୍ସବାନୁଷ୍ଠାନ ଦିନମାନଙ୍କରେ ଓ ୩୨୦ ଏକରବିଶିଷ୍ଟ ରାଷ୍ଟ୍ରପତି ଭବନ ପରିସରରେ ବୁଲାବୁଲି କରିବା ଲାଗି ବ୍ୟବହାର କରୁଥିଲେ। କିନ୍ତୁ, ନିରାପତ୍ତା ଦୃଷ୍ଟିରୁ ମାତ୍ର ଅଳ୍ପ କେତୋଟି ଉତ୍ସବାନୁଷ୍ଠାନରେ ଏହାକୁ ବ୍ୟବହାର କରାଯାଇଛି।
ଆଜି ସକାଳୁ ରାଇସିନା ହିଲ୍ରୁ ରାଜପଥ ସନ୍ନିକଟ ରାସ୍ତା ଅଞ୍ଚଳ ଏବଂ ସେଠାରେ ଚିହ୍ନିତ ହୋଇଥିବା ପାର୍କିଙ୍ଗ୍ସ୍ଥଳରେ କୌଣସି ଯାନବାହନ ରଖାଯିବାକୁ ଅନୁମତି ଦିଆଯାଉ ନାହିଁ। ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଫେରିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।