ଝାରସୁଗୁଡ଼ା ଲଇକେରାର ଖରିଆକାନି ଗାଁରେ ଅଭାବନୀୟ ଘଟଣା ! ମୋବାଇଲ ଫୋନ୍ ଫାଟି ଯୁବତୀ ମୃତ

71

କନକ ବ୍ୟୁରୋ : ମୋବାଇଲ ଫୋନ୍ ଫାଟି ଯୁବତୀ ମୃତ । ଝାରସୁଗୁଡ଼ା ଲଇକେରାର ଖରିଆକାନି ଗାଁରେ ଅଭାବନୀୟ ଘଟଣା ।  ଚାଇନା କମ୍ପାନି ଦ୍ୱାରା ପ୍ରସ୍ତୁତ ଏକ ମୋବାଇଲ ଫୋନ୍ ବିସ୍ଫୋରଣ ଘଟିବାରୁ ଆଜି ଉମା ଓରାମ ନାମକ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି । ଆଜି ଅପରାହ୍ନ ପ୍ରାୟ ୩ଟାରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବତୀଙ୍କ ବୟସ ହେଲା ୧୯ ବର୍ଷ ।

ନୋକିଆ ୫୨୩୩ ମୋବାଇଲକୁ ଚାର୍ଜରେ ବସାଇ କଥାହେଲା ବେଳେ ଏହି ଅଘଟଣ ଘଟିଛି । ଜଣେ ସମ୍ପର୍କୀୟଙ୍କ ସହ କଥା ହେଉଥିଲେ ଉମା, ଆଉ ସେହି ସମୟରେ ହୋଇଥିଲା ବିସ୍ଫୋରଣ । ଫଳରେ ଉମାଙ୍କର ଗୋଡ଼ ହାତ ପୋଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଉମାଙ୍କୁ ଡାକ୍ତର ବଞ୍ଚାଇପାରି ନଥିଲେ । ଡାକ୍ତରଙ୍କ ସବୁ ଉଦ୍ୟମ ବିଫଳ ହୋଇଥିଲା । ଉମାର ଭାଇ ଗୌତମ କହିଛନ୍ତି, ଅପରାହ୍ନରେ ଖାଇ ସାରି ଭଉଣୀ ଜଣେ ସମ୍ପର୍କୀୟଙ୍କ ସହିତ କଥା ହେଉଥିବା ବେଳେ ମୋବାଇଲଟି ବିସ୍ଫୋରଣ ଘଟିଥିଲା। ଉମାର ମୃତଦେହ ଶନିବାର ପୋଷ୍ଟମର୍ଟମ ହେବ।

ତେଣୁ ମୋବାଇଲ ବ୍ୟବହାର ସମୟରେ ସାବଧାନ ରହିବା ନିହାତି ଜରୁରୀ । ବିଭିନ୍ନ ସମୟରେ ଏପରି ଖବର ଆସୁଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି । ଅଣଦେଖା କରିବା ଯୋଗୁଁ ଏପରି ଅନେକ ଦୁର୍ଘଟଣା ଘଟୁଛି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଲୋକେ । ତେଣୁ ମୋବାଇଲକୁ ଚାର୍ଜ କରିବା ସମୟରେ ମୋବାଇଲ ବ୍ୟବହାର କରିବା ଉଚିତ ନୁହେଁ ।