ଭାରତର ଇତିହାସ ସମ୍ପୂର୍ଣ୍ଣ ଭ୍ରମାତ୍ମକ : ଭାରତୀୟଙ୍କ ଦେଶପ୍ରେମକୁ ସମାପ୍ତ କରିବାକୁ ଉଦ୍ୟମ ଚାଲିଛି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

1,084

କନକ ବ୍ୟୁରୋ : ଭାରତର ଇତିହାସ ସମ୍ପୂର୍ଣ୍ଣ ଭୁଲ । ଭାରତୀୟଙ୍କ ପାଇଁ ଇତିହାସର ପୁନର୍ଲିଖନ ଜରୁରୀ । ବର୍ତ୍ତମାନ ପିଲାଙ୍କୁ ଭୁଲ ଇତିହାସ ଶିକ୍ଷା ଦିଆଯାଉଛି । ଲୋକଙ୍କୁ ଭୀରୁ କରିବା ପାଇଁ ଅପଚେଷ୍ଟା ଚାଲିଛି । ଭାରତୀୟଙ୍କ ଦେଶପ୍ରେମ ଓ ଗୌରବଭାବକୁ ସମାପ୍ତ କରିବା ପାଇଁ ଏଭଲି ଲେଖାଯାଇଥିବାରୁ ଏହାକୁ ଶୀଘ୍ର ହଟାଇବା ଉଚିତ୍ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୟାନ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି । ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଇତିହାସ ଭ୍ରମାତ୍ମକ ଭାବେ ଲେଖାଯାଇଛି ।

ଅନେକ ବର୍ଷ ପୁରୁଣା ଇତିହାସ ସମ୍ପୂର୍ଣ୍ଣ  ଭ୍ରମାତ୍ମକ । ଇତିହାସରେ ସମସ୍ତଙ୍କୁ ବିଦେଶୀ ରୂପେ ଅଭିହିତ କରାଯାଇଛି । କେବଳ କିଛି ଆଦିବାସୀ ଗୋଷ୍ଠୀଙ୍କୁ ଛାଡ଼ିଦେଲେ ସମସ୍ତଙ୍କୁ ବିଦେଶୀ ବୋଲି ଭାରତୀୟ ଇତିହାସରେ ବର୍ଣ୍ଣନା କରାଯାଇଛି । ଭାରତୀୟ ଇତିହାସରେ ବ୍ୟକ୍ତିଗତ ସମ୍ମିଶ୍ରଣ ବୈଦିକ କାଳରୁ ରହିଆସିଛି । ଭଗବାନ ବ୍ୟାସଦେବଙ୍କ ମା’ ଜଣେ ଆଦିବାସୀ ଧୀରବ କନ୍ୟା । ଆଉ ତାଙ୍କ ବାପା ଜଣେ ବ୍ରାହ୍ମଣ । ବ୍ୟାସ ଦେବ ବେଦର ରଚୟିତା ନୁହଁନ୍ତି ବରଂବେଦର ସଙ୍କଳକ । ବିଶ୍ୱର ସର୍ବଶ୍ରେଷ୍ଠ ଭକ୍ତି ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତା ରଚନା କରିଛନ୍ତି ବ୍ୟାସଦେବ । ବୈଦିକ ସାହିତ୍ୟରେ ବ୍ରାହ୍ମଣର ଯେତିକି ଅଧିକାର ରହିଛି, ଆଦିବାସୀର ମଧ୍ୟ ସେତିକି ଅଧିକାର ରହିଛି । ସମାନତାର ମନ୍ତ୍ର ଆମ ପରମ୍ପରାରେ ସ୍ପଷ୍ଟ ରୂପେ ବିଦ୍ୟମାନ । ହେଲେ ଇତିହାସରେ ଅନେକ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ଯାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ସ୍ୱାଭାବିକ ।

ଭାରତର ଇତିହାସକୁ ଭ୍ରମାତ୍ମକ ରୀତିରେ ବିଦେଶୀ ଆକ୍ରାନ୍ତ ମାନଙ୍କ ଦ୍ୱାରା ରଚନା କରାଯାଇଛି । ଭାରତୀୟ ଇତିହାସରେ ହିନ୍ଦୁ-ଶିଖଙ୍କ ମଧ୍ୟରେ ଭିନ୍ନତା , ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ମଧ୍ୟରେ ଭିନ୍ନତା ଦର୍ଶାଇ ବିଭେଦର ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଛି । ସାରା ଭାରତୀୟ ଭାଷା ସଂସ୍କୃତ ଉପରେ ଆଧାରିତ । ହେଲେ ସାରା ଦେଶରେ ନିଜ ନିଜ ଭାଷା ପାଇଁ ଭିନ୍ନ ଭିନ୍ନ ରାଜ୍ୟ ତଥା ଅଞ୍ଚଳରେ ବାଡ଼ିଆପିଟା ଚାଲିଛି । ସସ୍କୃତ ହେଉଛି ମୂଳଭାଷା । ସମସ୍ତ ଭାଷାର ସମାନତାର ସଂଯୋଜନା ହେଉଛି ସଂସ୍କୃତ । ଭାରତୀୟ ମାନଙ୍କ ଦେଶପ୍ରେମ ଓ ଗୌରବ ଭାବକୁ ସମାପ୍ତ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ତେଣୁ ଭୁଲ ତଥ୍ୟ ପ୍ରଦାନ କରୁଥିବା ଇତିହାସକୁ ଯେତେ ଶୀଘ୍ର ହଟାଯିବ ସେତେ ଭଲ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।