ଦେଶରେ ମହିଳା ସଂରକ୍ଷଣ ବିଲକୁ ନେଇ ପୁଣି ଚର୍ଚ୍ଚା ! ଆଗାମୀ ଶୀତକାଳୀନ ଅଧିବେଶନରେ ଲୋକସଭାରେ ବିଲକୁ ଆଗତ ପାଇଁ ସରକାରଙ୍କ ପ୍ରସ୍ତୁତି

31

କନକ ବ୍ୟୁରୋ : ଦେଶରେ ମହିଳା ସଂରକ୍ଷଣ ବିଲକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଆଗାମୀ ଶୀତକାଳୀନ ଅଧିବେଶନରେ ଏହି ବିଲକୁ ଲୋକସଭାରେ ଆଗତ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ କଂଗ୍ରେସ ଉପାଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ବିଜେପି କହିଛି, ମହିଳା ବିଲ ଲୋକସଭାରେ ଉପସ୍ଥାପିତ କରିବାକୁ ସରକାର ପୂର୍ବରୁ ପ୍ରସ୍ତୁତି ଚଲାଇଛନ୍ତି । ହେଲେ ଏବେ ଚିଠି ଲେଖି କ୍ରେଡିଟ ନେବାକୁ ଉଦ୍ୟମ କରୁଛନ୍ତି ସୋନିଆ ଗାନ୍ଧୀ । ଯଦି ସୋନିଆଙ୍କ ବିଲ ପ୍ରତି ଏତେ ଦରଦ, ତେବେ ନିଜ ସହଯୋଗୀ ସମାଜବାଦୀ ପାର୍ଟି ଓ ଆରଜେଡିକୁ କାହିଁକି ଚିଠି ଲେଖୁ ନାହାନ୍ତି, ଯେଉଁ ଦଳ ଏହି ବିଲକୁ ବିରୋଧ କରିଆସୁଛନ୍ତି ବୋଲି ବିଜେପି କହିଛି ।

ମହିଳା ସଂରକ୍ଷଣ ବିଧେୟକ, ୨୦୧୦ ମାର୍ଚ୍ଚ ୦୯ ତାରିଖରେ ରାଜ୍ୟସଭାରେ ପାରିତ ହୋଇ ସାରିଛି । ଏବେ କେବଳ ଲୋକସଭାର ମଂଜୁରୀ ପାଇବା ବାକି । ତେଣୁ ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିବାରୁ ମହିଳା ସଂରକ୍ଷଣ ବିଲକୁ ପାସ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧୀ । ମହିଳା ବିଲ ପାସ ହେଲେ ୨୦୧୯ ସାଧାରଣ ନିର୍ବାଚନ ସହ ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିକୁ ଲାଭ ମିଳିବ । ତେଣୁ ଲୋକସଭାରେ ଏହି ବିଲକୁ ପାରିତ କରାଇନେବାକୁ ମନସ୍ଥ କରିସାରିଥିବା ଚର୍ଚ୍ଚା ହେଉଛି ।